Unknown

 

 

 

 

 

 

 

 

 

 

କବିତା କଳାପ

(ଦ୍ୱିତୀୟ ଭାଗ)

ଶ୍ରୀ ଗୋବିନ୍ଦ ରଥ

 

ସୂଚିପତ୍ର

 

୧.

ସାଗର

୨.

ସୂର୍ଯ୍ୟ

୩.

ବ୍ୟାଧ ଜାଲେ ପତିତ ପଶୁରାଜ

୪.

ଆଶ୍ଚର୍ଯ୍ୟସ୍ୱପ୍ନ (ଯମାଳୟ ଦର୍ଶନ)

୫.

କୋକିଳ

୬.

ପାପିର ସ୍ୱପ୍ନଦର୍ଶନ

୭.

ରୋଗ

୮.

ଇଂଲଣ୍ଡ

୯.

ଚାଟୁକାରୀ ପ୍ରତି

୧୦.

ଭାରତଉତ୍ସବ

୧୧.

ଚାତକ

୧୨.

ଅଜବିଳାପ (ରଘୁବଂଶ)

୧୩.

ଅବୋଧ ମନପ୍ରତି

Image

 

ସାଗର

 

ହେ ସାଗର ତବ ବିସ୍ତୀର୍ଣ୍ଣ ଆକାର,

ଦେଖିଲେ ହୃଦୟେ ଆନନ୍ଦ ଅପାର,

ଏ ବିଶାଳରୂପ ଅଛି କି କାହାର,

ମେଦିନୀମଣ୍ଡଳେ ପ୍ରଧାନ ଗଣି ।

ଉଠଇ ତରଙ୍ଗ ପର୍ବତ ପ୍ରମାଣ,

ଗର୍ଜେ ନାଗରାଜ ଗର୍ଜନ ସମାନ,

ଜଳେ ଜଳସେତୁ ହୁଏ କି ନିର୍ମାଣ,

ଭାବଇ ମନରେ ଆଶ୍ଚର୍ଯ୍ୟ ମଣି ।୧।

ସେ ତରଙ୍ଗ ପୁଣି ଖେଳେ ନାନାରଙ୍ଗେ,

ଯେତେ ଜଳଚର ଜୀବଜନ୍ତୁସଙ୍ଗେ,

ରାଶି ରାଶି ବାଧା ଅବହେଳେ ଲଙ୍ଘେ,

ଧୀରେ ଧୀରେ ତୀର କରେ ଚୁମ୍ୱନ ।

ତରଙ୍ଗଛଳରେ ସତେ କି ସାଗର ,

ପ୍ରବଳପ୍ରତାପ ଦେଖାଅ ତୁମ୍ଭର,

ଏ ମହୀମଣ୍ଡଳେ ନାହିଁ ରେ ଅପର,

ଜାଣ ଅବନୀର ସକଳଜନ ।୨।

ପୂର୍ବେ ଦେବଗଣ ସାଗର ମନ୍ଥନ,

କରି ତବ ଗଭୁଁ କଲେ ଆହରଣ,

ନାନା ମଣି ମୁକ୍ତା ଅମୂଲ୍ୟରତନ,

ଅମର ହୋଇଲେ ଅମୃତପାନେ ।

ଦ୍ୱିତୀୟ ଥରରେ ପୁଣି ତ୍ରିଲୋଚନ,

କଲେ ରତ୍ନାକର ତୁମ୍ଭଙ୍କୁ ମନ୍ଥନ,

ରାଗେ କଲ ତହୁଁ ବିଷଉଦ୍ଗାରଣ,

ତୃପ୍ତ ହେଲେ ଶିବ କି ଶିକ୍ଷାଦାନେ ।୩।

ଲୋକରେ ପ୍ରସିଦ୍ଧ ଅଯୋଧ୍ୟାରାଜ୍ୟରେ,

ଥିଲେ ନୃପବର ସଗରନାମରେ,

ତାହାଙ୍କ ତନୟେ ସ୍ୱକୀୟବଳରେ,

କଲେକ ତୁମ୍ଭର ଦେହନିର୍ମାଣ ।

ତେଣୁ ଯେ ତୁମ୍ଭର ହୋଇଛି ସାଗର,

ନାମଟି ମେଦିନୀମଧ୍ୟରେ ପ୍ରଚାର,

ଯାହାର ବିଶ୍ୱାସ ଯେମନ୍ତ ପ୍ରକାର,

ସେ କରେ ମନରେ ତେମନ୍ତ ଜ୍ଞାନ ।୪।

ଧନ୍ୟ ହେ ସାଗର ମହିମା ତୁମ୍ଭର,

ତୁମ୍ଭ ଯୋଗେ ଦେଶେ ବାଣିଜ୍ୟ ବ୍ୟାପାର,

ନାନା ଦ୍ରବ୍ୟ ନିଅ ଦେଶଦେଶାନ୍ତର,

ଅର୍ଣ୍ଣବଯାନକୁ ବକ୍ଷରେ ଧରି

ଉପସାଗର ବା ସାଗରଶାଖାରେ,

ପ୍ରବେଶ ହୋଇଛ ବିଶେଷପ୍ରକାରେ,

ଯେଉଁ ଭୂଭାଗରେ କି ବର୍ଣ୍ଣି ତାହାରେ,

କରିଛ ଐଶ୍ୱର୍ଯ୍ୟ ଅଧିକକରି ।୫।

ତୁମ୍ଭ କୃପା ନୋହିଥିଲେ ରତ୍ନାକର,

ଏ ଐଶ୍ୱର୍ଯ୍ୟ ଆଜି ଇଂଲଣ୍ଡରାଜ୍ୟର,

ହୁଅନ୍ତା କି କେବେ ନୟନଗୋଚର,

ତୁମ୍ଭେତ କାରଣ ନିଶ୍ଚୟ ଜାଣେ ।

ତବଯୋଗେ ସିନା ବୀର କଲମ୍ୱସ,

ଆମେରିକାଦେଶ କଲେକ ପ୍ରକାଶ,

ତେଣୁ ସେ ଇଂରାଜଜାତିର ନିବାସ,

ତୁଲ୍ୟ କେଉଁ ଦେଶ ଧନେ ବା ମାନେ ।୬।

ଯେବେ ଇୟୁରୋପବାସୀ ଲୋକଗଣ,

ଭାରତଗମନେ କରିଥିଲେ ମନ,

କେତେ ବାଧା ତାଙ୍କୁ କରିଛ ପ୍ରଦାନ,

ଏହି ଆଫେରିକାଦକ୍ଷିଣପାଶେ ।

କେତେ ସ୍ତୁତି କଲେ ସେ ନାବିକଗଣ,

ପଛେ ଶାନ୍ତ ଭାବ କରନ୍ତେ ଧାରଣ,

ଚଳାଇଲେ ପୋତ ଆନନ୍ଦିତମନ,

ମିଳିଲେ ଭାରତେ ବାଣିଜ୍ୟଆଶେ ।୭।

ସଦା ଧାବମାନ ନଦ ନଦୀଗଣ,

ତୁମ୍ଭରି ଚରଣେ ପଶନ୍ତି ଶରଣ,

ଦୟା ବହି କ୍ରୋଡ଼େ କରୁଛ ଧାରଣ,

ମହତଭାବର ଏ ରୀତି ସିନା ।

ଗର୍ବ କରି ମନେ ଯେ ନାବିକଜନ,

ପୋତଆରୋହଣେ କରଇ ଗମନ,

ଭୟଙ୍କରରୂପ କରିଣ ଧାରଣ,

ବୁଡ଼ାଅ ତାହାକୁ ପଡ଼ଇ ଚିହ୍ନା ।୮।

କ୍ଷିପ୍ତ ‘‘କାନିୟଟ’’ ଇଂଲଣ୍ଡଈଶ୍ୱର,

ନ ଜାଣି କହିଲେ ଘୁଞ୍ଚ ପାରାବାର,

ଶୁଣିଣ ସଗର୍ବ ବଚନ ତାଙ୍କର,

ଚରଣେ ତରଙ୍ଗ କଲ ଆଘାତ ।

ନୋହିଲା ତାଙ୍କର ଆଦେଶପାଳନ,

ଦିବ୍ୟଜ୍ଞାନ ତହୁଁ ଲଭିଲେ ରାଜନ,

ପାରିଷଦଜନେ କହିଲେ ଏସନ,

ପ୍ରକୃତିବଳେ କି ମନୁଷ୍ୟହାତ ।୯।

ଆହେ ରତ୍ନାକର ମେଦିନୀମଣ୍ଡଳ,

ପାଳୁଅଛ ଦେଇ ରାଶି ରାଶି ଜଳ,

ତବ ଅନୁକମ୍ପା ନୋହିଲେ ଏ ସ୍ଥଳ,

ହେବ ଭସ୍ମସ୍ତୂପ ମହାଶ୍ମଶାନ ।

ତବ ଜଳରାଶି ବାଷ୍ପର ଆକାରେ,

ସୂର୍ଯ୍ୟତାପେ ଉଠେ ଆକାଶଉପରେ,

ଶୀତଳ ହୋଇଲେ ପଡ଼ଇ ଧରାରେ,

ମାନନ୍ତି କି ଏହା କେବେ ଅଜ୍ଞାନ ।୧୦।

ଅଛି ଅନ୍ୟମତ ଦେବ ସୂନାସିର,

ଐରାବତଶୁଣ୍ଢେ ନେଇ ତବ ନୀର,

ନାନା ଜନପଦେ ଏହି ଅବନୀର,

କରନ୍ତି ଅବାଧେ ଜଳବର୍ଷଣ ।

ଯାହାର ଯେମନ୍ତ ମନରେ ବିଚାର,

ବୁଝୁ ସେହି ଜନ ତେମନ୍ତ ପ୍ରକାର,

କିନ୍ତୁ ସବୁ ଜଣା ତୋତେ ପାରାବାର,

କହ କିଏ ଠିକ ସତ୍ୟବଚନ ।୧୧।

ଦେବୀ ମହାଲକ୍ଷ୍ମୀ ଦୁହିତା ତୁମ୍ଭର,

ଦେଇଛ ତାହାଙ୍କୁ ଉପଯୁକ୍ତ ବର,

ତାଙ୍କ ଅନୁଗ୍ରହେ ଏହି ଚରାଚର,

ଚଳନ୍ତି ସକଳ ପ୍ରାଣୀସମାଜ ।

କୋପନା ହୋଇବେ ଯେବେ ସେ କମଳା,

ମେଦିନୀ ହୋଇବ ଖାଲି ମୁଣ୍ଡମାଳା,

ଅସ୍ଥିମେରୁ ଦଣ୍ଡକଙ୍କାଳବିଶାଳା,

ନ ଥିବେ ସମ୍ରାଟ କି ମହାରାଜ ।୧୨।

Image

 

ସୂର୍ଯ୍ୟ

 

ତୁମ୍ଭପରି ଜଗତେ କେ ପ୍ରତାପୀ ତପନ,

କେ ଅବା ପ୍ରକାଶେ ଏଡ଼େ ପ୍ରଖରକିରଣ,

ପ୍ରତିଦିନ ପ୍ରଭାତରେ ପୂର୍ବେ ଉଠୁଅଛ ଖରେ,

କରୁଛ ଜୀବସଙ୍କୁଳମେଦିନୀ ଦର୍ଶନ,

କ୍ରମେ କ୍ରମେ କର ପୁଣି ପଶ୍ଚିମେ ଗମନ ।୧।

କାହାର କ୍ଷମତା ଅଛି କରି ନିରୀକ୍ଷଣ,

ତୁମ୍ଭ ଆକୃତି ପ୍ରକୃତି କରିବ ଦର୍ଶନ,

ଚାହିଁଲେ ତେଜ ବିକାଶି ଦେବ ସେ ନୟନ ଗ୍ରାସି

ବ୍ୟଥାରେ ଆକୁଳପ୍ରାଣ ହେବ ସେହିଜନ,

ଜଗତ ହୋଇବ ଅନ୍ଧକାର ଘୋରବନ ।୨।

ନିୟମପ୍ରତିପାଳନେ ତୁମ୍ଭେ ଶ୍ରେଷ୍ଠତର,

ତୁମ୍ଭପରି ଚଳେ କିଏ ଜଗତମଧ୍ୟର,

ସେହି ଦିଗ ବାରି କରି ନିର୍ଦ୍ଦିଷ୍ଟ ସମୟ ଧରି

ଚଳୁଛ କେବେ ନ ଯାଅ ଦକ୍ଷିଣ ଉତ୍ତର,

ଏମନ୍ତ ଦୃଢ଼ନିୟମେ ଚଳିବେ କି ନର ।୩।

 

ଇଚ୍ଛା କରେଁ ଥରେ ଭାନୁ ଦକ୍ଷିଣଦିଗରେ,

ଉଦୟ ହୋଇ ଚଳିବ ଆକାଶମାର୍ଗରେ,

ଉତ୍ତର ଦିଗ ତୁମ୍ଭର ହେବ ଅସ୍ତଗିରିବର

ଦେଖି କି ଆଶ୍ଚର୍ଯ୍ୟଭାବ ନୋହିବ ମନରେ,

ବିମୋହିତ ସର୍ବଜୀବ ହୋଇବେ ଲୋକରେ ।୪।

କେତେ ବଳ ଏଶରୀରେ କରିଛ ଧାରଣ,

କହ ବାରେ ମତେ ଆହେ ବଳିଷ୍ଠତପନ,

ଅବିଶ୍ରାନ୍ତତ ଭ୍ରମଣେ କ୍ଳାନ୍ତହେଉନାହଁ କ୍ଷଣେ

ଆକାଶଭ୍ରଷ୍ଟତ କେବେ ନୁହଇ ଚରଣ,

ପୃଥିବୀ ପରାଏ ବାରେ ନୁହେତ କମ୍ପନ ।୫।

ମଣେ ମୁଁ ଆଶ୍ଚର୍ଯ୍ୟ ବଡ଼ କର ହେ ଖଣ୍ଡନ,

ଏ ବଳବିକ୍ରମ ତବ କିପାଁଇ ତପନ,

କ୍ଷୁଦ୍ରରାହୁ କରେ ଗ୍ରାସ ନ ଦିଅ ତାହାକୁ ପ୍ରାସ

କହି ଦିଅ ମତେ ଏଥି କି ଗୂଢ଼କାରଣ,

କିବା ଇନ୍ଦ୍ରଜାଲବିଦ୍ୟା କରୁଛ ସାଧନ ।୬।

ଗ୍ରୀଷ୍ମକାଳେ ଯେଉଁ କଷ୍ଟ ଦେଉଛ ତପନ,

କି କହିବି ସେହି ବ୍ୟଥା ନ ସରେ ବଚନ,

ଦିଅ ଏପୃଥିବୀ ଜାଳି ଏଥିପାଇଁ ଲୋକେ ଗାଳି

ଦିଅନ୍ତି ତୁମ୍ଭଙ୍କୁ କେତେ ନ ଶୁଣେ ଶ୍ରବଣ,

ଭାବନ୍ତି କ୍ଷଣକେ ଅବା ଛାଡ଼ିବ ଜୀବନ ।୭।

ଶୋଣିତ ବଦଳି ଯାଇ ବହେ ଦେହୁଁ ଝାଳ,

ଅସହ୍ୟପୀଡ଼ାରେ ବୋଧ ଘୋଟିଲା କି କାଳ,

ଅରଣ୍ୟର ବ୍ୟାଘ୍ର ପରି ନେବ ଆଜି ପ୍ରାଣ ହରି

ନିଷ୍ଠୁରତପନତେଜେ ଏ ଗ୍ରୀଷ୍ମ କରାଳ,

ଉତ୍ତପ୍ତବାୟୁସଙ୍କୁଳ କରି ଅସ୍ତ୍ରଜାଳ ।୮।

ଲାପଲାଣ୍ଡ ଦେଶେ ତବ ବଡ଼ ଅନୁଗ୍ରହ,

ଅର୍ଦ୍ଧବର୍ଷଯାଏ ତହିଁ ଏକଭାବେ ରହ,

ଦିନକ ପ୍ରତାପ ତବ କରି ଦେହେ ଅନୁଭବ

ଜାଣୁ ଯେ ସୁଖସମ୍ଭୋଗ କରୁଁ ତୁମ୍ଭ ସହ,

କେମନ୍ତେ ବଞ୍ଚନ୍ତି ଲାପଲାଣ୍ଡଦେଶୀ କହ ।୯।

ସେହି ଜନପଦ ସତ ତୁଷାରମଣ୍ଡିତ,

ତୁମ୍ଭର କିରଣେ ହିମ ହୁଏ ବିଗଳିତ,

ଘଟନ୍ତା ପ୍ରଳୟକାଣ୍ଡ ବୁଡ଼ନ୍ତା ସେ ଲାପଲାଣ୍ଡ

ରହନ୍ତା କେବଳ ହିମରାଶି ସୁସଞ୍ଚିତ,

ହୁଅନ୍ତେ କାଳକବଳେ ଲୋକେ କବଳିତ ।୧୦।

ଏକା ଭାନୁ ବଡ଼ସୁଖ ସେ ଶୀତକାଳରେ,

ତୁମ୍ଭର କିରଣସେବା କରେ ଆଦରରେ,

କିରଣ ସତେଜେ ଛାଡ଼ି କୁହୁଡ଼ି ଆକାଶୁଁ କାଢ଼ି

ନିଅ ଉଦୟ ହୋଇଣ ପୂର୍ବସିଂହାସନେ,

କି ଅପୂର୍ବ ସୁଖ ଜୀବେ ଲଭନ୍ତି ହେ ମନେ ।୧୧।

Image

 

ବ୍ୟାଧ ଜାଲେ ପତିତ ପଶୁରାଜ

 

ବିଧାତାଲିଖନ କେ କରେ ଅନ୍ତର

ବ୍ୟାଧଜାଲେ ଆଜି ବନ ରାଜ୍ୟେଶ୍ୱର

ପଡ଼ି ବ୍ୟାକୁଳିତ ହେଉଅଛି ଚିତ୍ତ

ଅତି କ୍ରୋଧାନ୍ୱିତ ତନୁ ଜର୍ଜ୍ୱରିତ

ନାହିଁ ତା କିଞ୍ଚିତ ଉଦ୍ଧାରଆଶା ।

ଏ ଭାବ ଉଦିତ ଥିଲା କି କାହାର

ଦିବାକର ଯେହ୍ନେ ରାହୁର ଆହାର

ଦୁରନ୍ତ ମଳିନ ପାପାଚାରୀ ହୀନ

ଅତି ଅକିଞ୍ଚନ ମ୍ଳେଚ୍ଛ ତୁଚ୍ଛଜନ

ବ୍ୟାଧ ଘଟାଇଛି ସିଂହଦୁର୍ଦ୍ଦଶା ।୧।

ବନପଶୁକୁଳେ ଯେହୁ ଶ୍ରେଷ୍ଠତର

ତା ମନେ ଏ ଭାବ ଅତି ଉଗ୍ରତର

ଉତ୍ସାହ ଅନଳ ଜଳିଲା ପ୍ରବଳ

ଡକାଇ ସକଳ ବନପଶୁକୁଳ

କହଇ ସତେଜେ ଆସରେ ସର୍ବେ ।

ଅସହ୍ୟ ହେଉଛି ଏ ସବୁ ଯାତନା

କହିଲେ ଘେନିଲେ ନାହିଁ କେବେ ମନା

ଏଥର ଆମ୍ଭର କରରେ ସତ୍ୱର

ଏଥି ପ୍ରତିକାର ଉରିତ ପ୍ରହାର

ଅସ୍ଥିର ଏ ବନ ବିପକ୍ଷଗର୍ବେ ।୨।

ଦେବଭୂମି ଅଟେ ଏ ରମ୍ୟକାନନ

ପବିତ୍ର ଧାର୍ମିକ ଋଷିବରଗଣ

ଯୋଗେ ନିମଗନ ଈଶ୍ୱରଭଜନ

କରନ୍ତି ସାଧନ ପ୍ରେମ ତତ୍ତ୍ୱ ଜ୍ଞାନ

ରଜନୀ ଦିବସ ଏକାନ୍ତ ମନେ ।

ତହିଁ ଅତ୍ୟାଚାରୀ ଏହି ବ୍ୟାଧଜାତି

ଘାତୁକତାକାର୍ଯ୍ୟ କରି ଦିବାରାତି

କେତେ ରକ୍ତପାତ କରୁଛନ୍ତି ଜାତ

ଦେଖିଣ ନିଶ୍ଚିନ୍ତ ହେବା ଅବିହିତ

ଚେଷ୍ଟା କର ଅରାତିଙ୍କ ମରଣେ ।୩।

ଏହି ରବେ ଡାକୁଅଛି କଲ୍ଲୋଳିନୀ

ଶୁଣ ପଶୁକୁଳ ମୁହିଁ ଅନାଥିନୀ

ଅତଳ ନିର୍ମଳ ଏ ପବିତ୍ରଜଳ

ବ୍ୟାଧକରତଳ ପଡ଼ି ଢଳ ଢଳ

ପାପେ କ୍ଷୀଣସ୍ରୋତା ହେଲି ପ୍ରକାଶ ।

ବନଖଣ୍ଡେ ପୁଣି ଉଠେ କୋଳାହଳ

ବଢ଼ିଛନ୍ତି ଏବେ ପାପୀ ବ୍ୟାଧଦଳ

ଉଠରେ ସକଳ ଲଗାଅ କୌଶଳ

ଦେଖାଇ ଚଞ୍ଚଳ ନିଜ ନିଜ ବଳ

କର ପଶୁକୁଳ ଶତ୍ରୁବିନାଶ ।୪।

ଏ କାଳେ ଆକାଶୁଁ ହେଲା ଉଚ୍ଚବାଣୀ

ଶୁଣରେ ମୃଗେନ୍ଦ୍ର ସବୁ କଥା ଜାଣି

ଏଡ଼େ ଦୁଃସାହାସ କରି ତୁ ମାନସ

ମାନବଙ୍କ ସଙ୍ଗେ ମାତି ରଣରଙ୍ଗେ

ପାଇବୁ କି ଯଶଃ କରୁ ବାସନା ।

ଏ ବାସନା ତୋର କଠିଣ ବ୍ୟାପାର

ସବୁ ପରିଶ୍ରମ ହୋଇବ ଅସାର

ପଶୁଙ୍କ ପ୍ରକୃତି କ୍ଷଣକେ ବିକୃତି

ନାହିଁରେ ଏକତା ଦେଖାଉ କ୍ଷମତା

ବିରତ ହୁଅରେ କରଇ ମନା ।୫।

କେବେ ଶୁଣି ନାହିଁ କେଶରୀ ତୋ କାନ

ଫ୍ରେଞ୍ଚରାଜ୍ୟେ ଥିଲେ ଯେ ନେପୋଲିୟନ

ତାଙ୍କ ସମ ବୀର କାହିଁ ଏ ମହୀର

ସେତ ପରାଧୀନ ହୋଇଣ ବନ୍ଧନ

ନୀତ ହୋଇଥିଲେ ସେଣ୍ଟହେଲେନା ।

ଜନକନନ୍ଦିନୀ ଶ୍ରୀରାମରମଣୀ

ସତୀଶିରୋମଣି ସୀତା ଠାକୁରାଣୀ

ସେତ ପରାଧୀନା ରାବଣ ଦୁର୍ମନା

ଲଙ୍କାପୁରେ ନେଲା ତାଙ୍କୁ ବନ୍ଦି କଲା

ତୋ କଥା କରିବା କିବା ତୁଳନା ।୬।

ତୋପରି ମୃଗେନ୍ଦ୍ର ବହୁ ଲୋକଗତି

ସର୍ବେ ପରାଧୀନ ତାହାଙ୍କ ସନ୍ତତି

ସ୍ୱାଧୀନ ସମ୍ପତ୍ତି ହରାଇଅଛନ୍ତି

ପରପାଦତଳେ ଲୁଟନ୍ତି ସକଳେ

ଦେଖ ଏହିପରି ଜଗତରୀତି ।

କରି ନାହୁଁ ତୁହି କେବେରେ ଶ୍ରବଣ

କେତେ ଜନପଦ ଆଜି ଉଚ୍ଚ ସ୍ଥାନ

ତାକୁ ପୂର୍ବକାଳେ ନିଜ ତେଜବଳେ

କରି ପରାଧୀନ ଦେଲେ ଅପମାନ

ଥିଲେ ଯେଉଁମାନେ ବଳିଷ୍ଠଜାତି ।୭।

ଯେବେରେ ବିଧାତା ହେବ ଅନୁକୂଳ

ଏକତାରେ ବନ୍ଧା ହେବେ ପଶୁକୁଳ

ପ୍ରବଳସ୍ରୋତରେ ସେ ବନ୍ଧକୁ ବାରେ

ଟଳାଇବା ପାଇଆଉ କେହି ନାହିଁ

ଏହି କଥା ଦୃଢ଼େ ଧରଇ ମନ ।

ଅପେକ୍ଷା କରରେ ତୁହି ସେହି କାଳ

ଛିଡ଼ିବ ଏ ତୋର ବନ୍ଧନ ଶୃଙ୍ଖଳ

ନ ହୁଅ କାତର ମନ ଧୀର କର

ଦୟାଳୁ ଈଶ୍ୱର ସଦା ଚିତ୍ତେ ଧର

ମିଳିବ ତୋହର ସ୍ୱୀଧୀନଧନ ।୮।

Image

 

ଆଶ୍ଚର୍ଯ୍ୟସ୍ୱପ୍ନ
(ଯମାଳୟ ଦର୍ଶନ)

 

ଦିନେ ଅର୍ଦ୍ଧନିଶାକାଳରେ ଯାଇ,

ସ୍ୱପନ ଦେଖିଲି ଯାହା ମୁଁ ଭାଇ,

କହେ ସତ୍ୟ କଥା ନ ମଣିବ ମିଥ୍ୟା,

ଏଥିରେ ଅଳୀକ କିଞ୍ଚିତେ ନାହିଁ,

ସ୍ୱପ୍ନେ ଭଲ ମନ୍ଦ ଫଳ ଘଟଇ,

ଏ ସ୍ୱପ୍ନେ କି ହେବ ମୁଁ ନ ଜାଣଇଁ ।୧।

ଯମଦୂତମାନେ ଆସି ତେଜରେ,

ଘେରିଲେ ମୋ ଶଯ୍ୟାଚାରିପାଶରେ ।

ମାର ମାର ମାର ଧର ଧର ଧର,

ଏ ଶବ୍ଦ ଉଠଇ ପ୍ରତିମୁଖରେ ।

କୃଷ୍ଣବର୍ଣ୍ଣ ବେଶ ବନ୍ଧୁକ କରେ,

ଦୀର୍ଘକାୟ ଲାଲ ପଗଡ଼ି ଶିରେ ।୨।

ଦେଖି ଭୟଙ୍କର ରୂପ ତାଙ୍କର,

ରକତ ଶୁଖିଲା ଦେହୁଁ ମୋହର,

ବିନୟ ବଚନ କଲି ସମ୍ଭାଷଣ,

ଅନୁଗ୍ରହ କରି ମୋତେ ନ ଧର,

ଦୁରାତ୍ମାଙ୍କର କି ଅଛି ବିଚାର,

ଧରି କରି ନେଲେ ଯମଙ୍କ ଘର ।୩।

ଦେଖନ୍ତେ ଯମଙ୍କ ବିକଟାନନ,

ମୁଦ୍ରିତ ନୟନ ଶୁଷ୍କ ବଦନ,

ନିଶ୍ୱାସ ପ୍ରଖର ହେଲା କମ୍ପଜ୍ୱର,

ଗାତ୍ର ଥରହର କ୍ଳେଶିତପ୍ରାଣ,

କଣ୍ଠରୋଧେ ବାକ୍ୟ ନୁହେ ସ୍ଖଳନ,

ଭାବିଲି ରଖ ହେ ବିଶ୍ୱକାରଣ ।୪।

ଦଣ୍ଡଧର କ୍ରୋଧେ ଦେଲେ ଉତ୍ତର,

କି ପାପ କରିଛି ଏ ଦୁରାଚାର,

ଚିତ୍ରଗୁପ୍ତ ଗଲେ ଶିରସ୍ତା ଦେଖିଲେ,

କିଛି ଲେଖା ନାହିଁ ପାଞ୍ଜିଭିତର,

ଶୂନ୍ୟ ପଡ଼ିଅଛି ନାମେ ମୋହର,

ନୁହେ ଅପରାଧୀ ହେଲା ବିଚାର ।୫।

ଯମରାଜେ କଲି ମୁଁ ନମସ୍କାର,

ଆହ୍ଲାଦେ ପୁରିଲା ମୋର ଅନ୍ତର,

ଦେଖିଲେ ଯେସନ ଚନ୍ଦ୍ରମା କିରଣ

ଉତ୍ସଳିତ ହୁଏ ନୀଳସାଗର,

କିନ୍ତୁ ଯମ ଭୟେ ହେଲେ କାତର,

ନିଜ ଭ୍ରମ ଚିନ୍ତି ଦେଲେ ଉତ୍ତର ।୬।

ନିରପରାଧିକି ଭ୍ରମେ ଆଣିଲ,

କଳଙ୍କ ଆମ୍ଭର ଶିରେ ନିହିଲ,

କର ଏହା ମନ ଅତି ସୁପ୍ରସନ୍ନ

ଦେଖାଯାଉନାହିଁ ଏ କାର୍ଯ୍ୟେ ଭଲ,

ଏପରି ଅନୀତି କିପାଁ ବିହିଲ,

ଜଗତେ ବହୁତ ନିନ୍ଦା ରଖିଲ ।୭।

କରାଅ ଏହାକୁ ପୁରଦର୍ଶନ,

ଯେତେକ ପ୍ରସାଦ ସେ ଉପବନ,

ନରକପଙ୍କତି ଦେଖି ତାର ମତି

ଫେରିବ ହୋଇବ ଅତି ପ୍ରସନ୍ନ,

ଚିତ୍ରଗୁପ୍ତ ତୁମ୍ଭେ କର ଗମନ,

ଦେଖାଅ ସମସ୍ତ ଯମ ଭବନ ।୮।

ଯମଙ୍କ ଆଦେଶେ ପାଞ୍ଜିଲେଖକ,

ଡାକିଲେ ଆସ ହେ ନବଦର୍ଶକ,

ସମ୍ମୁଖେ ନୟନ ବିସ୍ତାରି ଲୋକନ

କର ଯେ ଦିଶୁଛି ଏହି ନରକ,

ଜଗତେ ଯେତେକ ଜୀବନାଶକ,

ତାଙ୍କର ହୁଏ ଏ କ୍ଳେଶଦାୟକ ।୯।

ଦେଖ ଦେଖ ଅଗ୍ନିକୁଣ୍ଡ ଜଳୁଛି,

ନାରକୀଜନଙ୍କୁ କେଡ଼େ ପୀଡ଼ୁଛି,

ଯେଉଁ ଅତ୍ୟାଚାରୀ କିଛି ନ ବିଚାରି

ଦୁଖିଙ୍କି ପ୍ରାଣରେ କ୍ଳେଶ ଦେଉଛି,

ଏହି ଅଗ୍ନିକୁଣ୍ଡେ ସେହି ପଡ଼ୁଛି,

ଅସହ୍ୟ ଯାତନା ସଦା ପାଉଛି ।୧୦।

ଜାଣିଛ ଭାରତେ ପୂର୍ବ କାଳରେ,

ସରାଜଉଦ୍ଦୌଲା ବଙ୍ଗଦେଶରେ,

ସତୀନାରୀଙ୍କର ସତୀତ୍ୱାପହାର

ପୂର୍ଣ୍ଣନାବ ମଗ୍ନକଲା ଜଳରେ,

ଅନ୍ଧକୂପହତ୍ୟା ମହାକାଣ୍ଡରେ,

କଳଙ୍କ ରହିଛି ଯା ମସ୍ତକରେ ।୧୧।

ଦେଖ ସେ ସିରାଜ ଅବସ୍ଥା ଆଜି,

ତପ୍ତବାଲୁକାରେ ହେଉଛି ଭାଜି,

ଯେ ପୁଣି ଦେଖୁଛି ଧିକ୍କାର ଦେଉଛି

ଭୋଗୁଛି ଯେ ଫଳ ଅଛି ଅରଜି,

ପାପ ପୁଣ୍ୟ କଥା ସେ ହେଜି ହେଜି,

ଚଳିଥିଲେ କିପାଁ ହୁଅନ୍ତା ଗଞ୍ଜି ।୧୨।

ଦେଖ ଦେଖ ମିର୍ଜାଫର ଦୁର୍ଜନ,

ମାନ ଅପମାନ ଯାର ସମାନ,

ପଲାସୀସମରେ ସିରାଜସଙ୍ଗରେ

କରିଥିଲା ଯେ କପଟବିଧାନ,

ସେହି ଅପରାଧେ ଯମରାଜନ,

ଦେଉଛନ୍ତି ତାକୁ ଅତି କଷଣ ।୧୩।

ଅତି ଦୁରାଚାରୀ ପାପୀ ମରଣ,

କଲେକ ଯା ନାମ ମନେ ସ୍ମରଣ,

ଗାତ୍ର ଥର ହର ଆସେ କମ୍ପ ଜ୍ୱର

ନିର୍ଦ୍ଦୋଷେ ନେଲା ଯେ ସିରାଜପ୍ରାଣ,

ଦେଖ ଏ ତାହାର ବିକଟାନନ,

କୁମ୍ଭୀପାକନର୍କେ ହୁଏ ଶାସନ ।୧୪।

ଦେଖ ହେ ଦର୍ଶକ କ୍ଳାଇବ ବୀର,

ଯା ନାମ ଶୁଣିଲେ ଭୟେ ଅଧୀର,

ଭାରତବରଷେ ଅସୀମ ସାହସେ

କଲା ବୀର ଧର୍ମ ସତ୍ୟ ପ୍ରଚାର,

ଉମିଚାନ୍ଦେ ପ୍ରବଞ୍ଚନା ତାହାର,

ତେଣୁ ଯମପୁରେ ଏ ନାରଖାର ।୧୫।

ଫ୍ରେଞ୍ଚସେନାପତି ଦୁରାତ୍ମା ଲାଲି,

କେତେ ଅତ୍ୟାଚାର କରିଛି ବୋଲି,

କୀଟ ସଲବଲେ ପ୍ରାଣ କଲବଲେ

ପଡ଼ିଛି ଭାବୁଛି କି ପାପ କଲି,

ପଣ୍ଡୁଚେରିବାସିଙ୍କି ମୁଁ ତଡ଼ିଲି,

ଯମପୁରେ ଏବେ ପଡ଼ି ସଡ଼ିଲି ।୧୬।

ଦିଲ୍ଲୀଅଧୀଶ୍ୱର ଏ ଜାହାଙ୍ଗୀର,

ନୁର ଯାହାନୀୟା ସତୀ ନାରୀର,

ସତୀତ୍ୱ ରତନ କଲାକ ହରଣ,

ନ କରିବେ ଯାହା ମୂର୍ଖ ପାମର,

ସେ ଦୋଷେ ପାଉଛି କେତେ ପ୍ରହାର,

କାହିଁ ବାଦଶାହୀ ସେ ଅଧିକାର ।୧୭।

ଅତି ଅତ୍ୟାଚାରୀ ‘‘ନୀରୋ’’ ରାଜନ,

ରୋମରାଜ୍ୟେ ଥିଲା ଯା ଅଧିଷ୍ଠାନ,

ନିର୍ଦ୍ଦୟ ରୂପରେ ବିନା କାରଣରେ,

ହରିଥିଲା ମାତା ଗୁରୁ ଜୀବନ,

ସେହି ଅପରାଧେ ଯମଭବନ,

ମଧ୍ୟେ ତପ୍ତଲୋହେ ପାଏ ଗଞ୍ଜନ ।୧୮।

ଇଂଲଣ୍ଡ ରାଜା ଅଷ୍ଟମ ହେନରୀ,

ହିତାହିତ କଥା ଯେ ନ ବିଚାରି,

ବହୁ ବିଭା ହେଲେ ତାହାଙ୍କୁ ଦହିଲେ,

ନିର୍ଦ୍ଦୟ ନିର୍ମମ ଘାତୁକ ପରି,

ଏବେ ପଡ଼ିଛନ୍ତି କପାଳ ଧରି,

ଆଉ ଭାଗ୍ୟେ ନାହିଁ ଲଣ୍ଡନପୁରୀ ।୧୯।

କେତେ ବାଦଶାହା କେତେ ରାଜନ,

ପ୍ରଜାଙ୍କୁ ଯେ କରିଥିଲେ ପୀଡ଼ନ,

ଏଠାରେ ଅଛନ୍ତି ହୋଇ ପନ୍ତି ପନ୍ତି

ଆରତେ କରନ୍ତି ଦୀର୍ଘରୋଦନ,

ହସ୍ତ ପଦେ ବେଡ଼ି ଅଛି ବନ୍ଧନ,

ପାଉଛନ୍ତି ନାନାବିଧ କଷଣ ।୨୦।

ବିଚାରଆସନେ ବସି ଅନେକ,

ପକ୍ଷପାତ କଲେ ନୋହି ବିବେକ,

ସେହି ଅପରାଧେ ପଡ଼ିଣ ଅବାଧେ

ଲଭନ୍ତି ପ୍ରହାର ପଶୁ ପ୍ରାୟେକ,

ଧୂମଚକ୍ରେ ଉଡ଼ୁଛନ୍ତି କେତେକ,

ଖୁମ୍ପୁଛନ୍ତି ନୀଚ ପକ୍ଷୀ ଯେତେକ ।୨୧।

ଏଠାରେ ଉତ୍କୋଚଗ୍ରାହକ ଶ୍ରେଣୀ,

ବନ୍ଧନରେ କର ଚରଣ ବେନି,

ଦେଖ ଯୋଡ଼ି ବେତ ବାଜୁଛି ନିୟତ

ଛାଟି ପିଟି ହେଉଅଛନ୍ତି ଟାଣି,

ଲାଞ୍ଚ ନେଇଥିଲେ ପୂର୍ବରେ ଛାଣି,

ମଣି ଥିଲେ ସତେ ସର ଲବଣି ।୨୨।

ଜନକ ଜନନୀ ପଦ ସେବନ,

ନ କରନ୍ତି ଯେଉଁ ଦୁଷ୍ଟ ନନ୍ଦନ,

ତାହାଙ୍କ ବଚନ କରନ୍ତି ଲଙ୍ଘନ

ନ ଦିଅନ୍ତି ତାଙ୍କୁ ଗ୍ରାସ ବସନ,

ଏହିପରି ପାପୀ ସନ୍ତାନଗଣ,

ପାଉଛନ୍ତି ତପ୍ତ ଜଳେ କଷଣ ।୨୩।

ପରଦ୍ରବ୍ୟ କରେ ଯେହୁ ହରଣ,

ଜ୍ଞାନୀଜନେ ଦିଏ ଯେ ଅପମାନ,

ହିଁସା ଅହଙ୍କାର ବହେ ନିରନ୍ତର

ଅକୃତଜ୍ଞ ପ୍ରବଞ୍ଚକ ଯେ ଜନ,

ତାଙ୍କର କି ଦଶା କର ଲୋକନ,

ମୁଖେ ଅପବିତ୍ର ଦ୍ରବ୍ୟ ଲେପନ ।୨୪।

ଦେଖି ମୁଁ ଡରିଲି ଭାବିଲି ଚିତ୍ତେ,

ପ୍ରାଣାନ୍ତେ ସୁଦ୍ଧା ମୁଁ ଏହି ଜଗତେ,

ପାପେ ନ ପଡ଼ିବି ସୁଖେ କାଳ ନେବି

ଏହି ବୁଦ୍ଧି ଦିଅ ହେ ବିଶ୍ୱପତେ,

ଆଉ ଯମପୁର ନୟନପଥେ,

ନ ଦେଖିବି ଦୟା କର ହେ ମୋତେ ।୨୫।

ନିଦ୍ରାଭଙ୍ଗ ହେଲା ଏଥି ମଧ୍ୟର,

ଚାହେଁ ଚାରିପାଶେ ଘୋର ଅନ୍ଧାର,

କାହିଁ ଯମପୁର କାହିଁ ଏ କୁଟୀର

ଚିତ୍ରଗୁପ୍ତ ଗୁପ୍ତେ କାହିଁ ଅନ୍ତର,

ନିର୍ବେଦିତ ହେଲା ଚିତ୍ତ ମୋହର,

ରାମ ରାମ ଶବ୍ଦ କଲି ପ୍ରଚାର ।୨୬।

ଧନ୍ୟ ମନୋବୃତ୍ତି ଧନ୍ୟ ଈଶ୍ୱର,

କି କଉତୁକ ଏ ତୁମ୍ଭ ରାଜ୍ୟର,

ମାୟା ମୋହେ ନର ସବୁ ଆପଣାର

ଭାବଇ ମନରେ ସ୍ୱପ୍ନ ପ୍ରକାର,

କିନ୍ତୁ ପ୍ରକୃତରେ ନୁହେ ତାହାର,

ତୁମ୍ଭରି ମହିମା ଏ ଖେଳଘର ।୨୭।

Image

 

କୋକିଳ

 

ମଧୁସୁମଣ୍ଡିତ ମଧୁ ଧରାରେ ପ୍ରବେଶ

ଏଣୁ ମଧୁମୟ ଦିଶେ ସବୁ ଚରାଚର

ସହସା ପୃଥିବୀ ହେଲା ଅତି ମନୋହର

କେଉଁଠାରେ ଦୃଷ୍ଟ ନୁହେ ଅସୁନ୍ଦର ଲେଶ ।୧।

ନବ ପତ୍ରୋଦ୍ଟମ ନବ ଲୋହିତ ବସନେ

ଶୁଭବିଧାୟକ ପରିଧେୟ କାର୍ଯ୍ୟ କରି

ଅତି ହରଷିତଭାବେ ପାଦପବଲ୍ଲରୀ

ପରସ୍ପର ମଣ୍ଡୁଛନ୍ତି ପ୍ରେମଆଲିଙ୍ଗନେ ।୨।

ବିବିଧ ଜାତି କୁସୁମ ନିଆଳି କେତକୀ

ଛୁରିଅନା, ମଲ୍ଲୀ ପୁଣି ପଳାଶ, ରଙ୍ଗଣୀ

ବିକଶିତ ହୋଇ କି ସୁନ୍ଦର ଏ ଧରଣୀ

ସାଜିଛି ଦେଖିଲେ ଚିତ୍ତ ଉଠୁଛି ମହକି ।୩।

ତାରକାରଞ୍ଜିତ ନୀଳ ଗଗନର ଶୋଭା

ବଢ଼ଇ ଯେସନ ସୌମ୍ୟ ହିମାଂଶୁପ୍ରଭାରୁ

ବସନ୍ତ ତେସନ ଚୂତବକୁଳହେତୁରୁ

ନାନା ପୁଷ୍ପେ ଶୋଭିଣ ଅଧିକ ପୁଣି ଲୋଭା ।୪।

ଏକାଳେ ଏ ବକୁଳର ମୋଦେ ଚୂତଶାଖେ

କୁହୁରାବେ ରାବୁଅଛୁ କେ ତୁ ସୁମଧୁର ?

କହ କହ ଅଟୁ ସହଚର କି ମଧୁର

ଆସିଛି ଭୂପରେ ସେ କି ଘେନି ତୋତେ କାଖେ ।୫।

ସଙ୍ଗୀତଶାସ୍ତ୍ରରେ ସ୍ୱର ଶୁଣିଛି ବହୁଳ

ଉତ୍କଳ ପଶ୍ଚିମ ପୁଣି ବଙ୍ଗବାସିଙ୍କର

ଶୁଣିଅଛି ସୁଲଳିତ ଗୀତ ଚିତ୍ତହର

ଏମାନେ ତୋ ସ୍ୱର ସଙ୍ଗେ ଅଟନ୍ତି କି ତୁଳ ।୬।

ଆହା ବିହି ତୋ କଣ୍ଠ କି ଗଢ଼ିଛି ବିରଳେ

ନୋହିଲେ କାହୁଁ ଏ କଣ୍ଠ ପାଇଲୁ ତୁ କହ ?

ଅବା ବୀଣାପାଣି ହେମବୀଣା ସୁଧାବହ

ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟଭୂମେ ଆସିଛୁ ଏ ଛଳେ ।୭।

କହରେ ଫିଟାଇ କହ ମୁଁ ତ ହୀନନର

ଉର୍ବଶୀ ମେନକା ଅବା ଅପ୍ସରୀ କେବଣ

ଦେବତା କେହି କି ଭେଖ ଧରିଛୁ ଏସନ

ଶୁଣିଛି ଦେବତା ମାୟା ଦେବେ ଅଗୋଚର ।୮।

 

ଆହା କି ସୁମିଷ୍ଟ ସ୍ୱର ମରି ଯାଏ ମୁଁହି

ଉପମା ଦେବାକୁ ଏହା ସଙ୍ଗରେ ବା କାହିଁ

ଖୋଜି ଖୋଜି କ୍ଷିତିତଳେ ପାଉତ ମୁଁ ନାହିଁ

ସଫଳ ଜୀବନ ତୋର ଧନ୍ୟ ଧନ୍ୟ ତୁହି ।୯।

ତୋ ସ୍ୱରଶ୍ରବଣେ ଯେଉଁ ଆନନ୍ଦ ଉଦୟ

ମନୋମଧ୍ୟେ ହୁଏ ତାହା ଜାଣେ ଏକା ମନ

ବିବାହଉତ୍ସବେ ମିଳିଲେ ବା ପୁତ୍ର ଧନ

ଦୁଷ୍ପ୍ରାପ୍ୟ ଯେ ସୁଖ ପୁଣି କଲେ ଶତ୍ରୁ ଜୟ ।୧୦।

Image

 

ପାପିର ସ୍ୱପ୍ନଦର୍ଶନ

 

ଅତ୍ୟାଚାରୀ ପାପୀ କରେ ସ୍ୱପନେ ଦର୍ଶନରେ,

ଦୁଃଖୀ ରଙ୍କ ପ୍ରଜାଗଣ,

ସମ୍ମୁଖେ ଦଣ୍ଡାୟମାନ,

କହନ୍ତି ସ୍ୱାଧୀନଭାବେ ଯେ ଯାହା ବଚନରେ ।୧।

ଶୁଣରେ ପାପିଷ୍ଠ ନରାଧମ ଦୁରାଚାରରେ,

ଅତ୍ୟାଚାରେ କଳେବର,

ହେଉଅଛି ଜର ଜର,

ପାଇବୁରେ ପ୍ରତିଫଳ ଏହିଥର ତାରରେ ।୨।

ଦେଖ ପାପି କଳାମେଘ ଆକାଶେ ଉଦିତରେ,

ତୋର ସବୁ ମନୋରଥ,

କ୍ଷଣିକ ଏ ଛାୟାପଥ,

ଯେସନେ ଗଗନେ କ୍ଷଣେ ସେ ପ୍ରତିଫଳିତରେ ।୩।

କଟାକ୍ଷେ ଚାହିଁ କେ ପ୍ରଜା ତେଜଭାବ ଧରିରେ,

କହେ ମୋର ଦାନାମାରି,

ଦେଲୁ ଭୂମି ଅନ୍ୟେ କରି,

ମାରିବେ ପ୍ରଭୁ ତୋ ଦାନା ଗର୍ବ ଖର୍ବ କରିରେ ।୪।

ମୁଁ ଅଟେ ନିର୍ଦ୍ଦୋଷୀ ପ୍ରଜା ଶୁଣ ତୁ ରାକ୍ଷସରେ,

ମିଥ୍ୟାରେ ଚୋରି ପ୍ରମାଣ,

କଲୁ ନେଲୁ ଧନ ମାନ,

ଶେଷକୁ ଜୀବନ ନେଲୁ ଦେଲୁ କାରାବାସରେ ।୫।

ଏ ପାପ କି ଦୁରାଚାର ଘୁଞ୍ଚିବ ତୋହରରେ,

ଶତଗୁଣରେ ବର୍ଦ୍ଧନ,

ହେବ ତୋ ଶିରେ ପତନ,

ଭୋଗିବୁ ଭୋଗିବୁ ପାପି ସତ୍ୟ ସତ୍ୟ ମୋରରେ ।୬।

ତୋ ଜୀବ ସହଜେ ଯିବ ଯେସନେ ଦୀପକରେ,

ପବନଆଘାତ ପାଇ,

ମୃତ୍ୟୁମୁଖେ ପଡ଼େ ଯାଇ,

ଜଳବିନ୍ଦୁ ଯୋଗେ ଯେହ୍ନେ ଜଳର ଷ୍ଫୋଟକରେ ।୭।

ପାପୀ ବସି କରୁଥିଲା ନାନାରୂପେ କୂଟରେ,

ସ୍ୱପ୍ନାନ୍ତେ ହୃଦୟ ଛନ୍ନ,

ଗାରେଡ଼ୀ ମନ୍ତ୍ରେ ଯେସନ,

ପେଡ଼ାରେ ଗୋଖରସାପ ହୁଏ ଛଟପଟରେ ।୮

Image

 

ରୋଗ

 

ଯେଉଁ ପଦ କରୁଥିଲା ସଦା ବିଚରଣ,

ପର୍ବତଶିଖରଦେଶ ବନ ଉପବନ ।

ଶତକ୍ରୋଶକୁ ଯେ ପଦ ପଦଜ୍ଞାନ କରେ,

ପାଦକ ସହସ୍ରକ୍ରୋଶ ଆଜି ତା ପକ୍ଷରେ ।

ଯେ ପଦ ଗମନ କରେ କାଶୀ, ପେଶୋଆର,

ସେ ପଦ ଆଜି ନ ଯାଏ ଘରର ବାହାର ।

ଯେଉଁ ପଦ ବୁଲି କରୁଥିଲା ତୀର୍ଥାଟନ,

ସେ ପଦ କିପାଁଇ ଆଜି ହୁଏ ଅଚଳନ ।

ଆହା ରୋଗ ହେତୁ ପଦ ଅଟେ ଏ ପ୍ରକାର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେ ହସ୍ତେ କଠିଣ କାର୍ଯ୍ୟ ହୁଏ ସମାଧାନ,

କେତେ ଶତ୍ରୁଙ୍କୁ ଯେ ଦେଇଥିଲା ଅପମାନ ।

ଅସଂଖ୍ୟ ପ୍ରକାର ଶିଳ୍ପକାର୍ଯ୍ୟର କୌଶଳେ,

ଧନ୍ୟବାଦ ମିଳେ ସଦା ପୁଣି ଯାହା ବଳେ ।

ଅତି ଅସାଧ୍ୟ ସାଧନ ଯେ ହସ୍ତ କରଇ,

ଆଜି ସେ ଅବଶ ହୋଇ କାହିଁ ନ ଚଳଇ ।

ଆହା ରୋଗ ହେତୁ ହସ୍ତ ଅଛି ଏପ୍ରକାର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେଉଁ ଚକ୍ଷୁ ଦେଖୁଥିଲା ପ୍ରକୃତିର ଶୋଭା,

ସାଗର ପର୍ବତ ବନ ଆଦି ମନୋଲୋଭା,

ନଦୀ, ସରୋବର, ହ୍ରଦ ତଡ଼ାଗ ନିକର,

ମନୋରମ ଦେବାଳୟ ଅଟ୍ଟାଳିକାଘର ।

ଚନ୍ଦ୍ର ସୂର୍ଯ୍ୟ ତାରାଗଣ ଗଗନମଣ୍ଡଳ,

ଦର୍ଶନ ଯେ କରୁଥିଲା ସକଳ ନିର୍ମଳ ।

ଅତିକ୍ଷୁଦ୍ର କୀଟ ଜୀବ ରେଣୁ ଆଦି କରି,

ଯେ ଚକ୍ଷୁ ଦର୍ଶନ କରେ ସବୁ ବାରି ବାରି ।

ସେ ଲୋଚନ ପକ୍ଷେ ଆଜି ଜଗତ ଅନ୍ଧାର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେ କର୍ଣ୍ଣ ଶୁଣିଛି କେତେ ବେଦାଦି ପୂରାଣ,

ଅତିଅଳ୍ପ ସ୍ୱର ଯାକୁ ନୁହଇ ଗୋପନ ।

ଯେଉଁ କର୍ଣ୍ଣ ବିପଣୀରେ ଶୁଣଇ ବଚନ,

ସେ କର୍ଣ୍ଣ ନ ଶୁଣେ ଆଜି ମହା ବଜ୍ରସ୍ୱନ ।

ଅତି ଗୋପନରେ ଯେହୁ ଶୁଣଇ ମନ୍ତ୍ରଣା,

ସଙ୍ଗୀତଶାସ୍ତ୍ରର ନାନା ସ୍ୱର ଯାକୁ ଜଣା ।

ବଧିର ହୋଇଛି ଆହା ସେ କର୍ଣ୍ଣ ସୁନ୍ଦର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେଉଁ ନାସା ଘେନୁଥିଲା ବହୁତ ଆଘ୍ରାଣ,

ଅତର କର୍ପୂର ଆଦି ସୁଗନ୍ଧ ଚନ୍ଦନ ।

ଚମ୍ପକ ମଲ୍ଲିକା ଜାତି ଯୂଈ ନାଗେଶ୍ୱର,

ମରୁଆ ନିଆଳୀ ଆଦି ସୁଗନ୍ଧ ପୁଷ୍ପର ।

ସେ ନାସା ପକ୍ଷରେ ଆଜି ଆଘ୍ରାଣତ ଭାର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେଉଁ କଣ୍ଠ କରୁଥିଲା ମଧୁର ସୁସ୍ୱନ,

ଶୁଣି ବିମୋହିତ ହେଉଥିଲେ ମୁନିଜନ ।

ନାନାରୂପ ଗୀତ ଛାନ୍ଦ ରାଗିଣୀ ସହିତ,

ଗାନ କରୁଥିଲା ସବୁ କରି ନିରୂପିତ ।

ଆଜି କରୁନାହିଁ କଣ୍ଠ କାହିଁ ପାଇଁ ସ୍ୱର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ନାନା ସ୍ୱାଦ ଭୋଗ କରୁଥିଲା ଯେ ରସନା

ତାକୁ କିପାଁ ହୋଇଅଛି ଆଜି ସବୁ ମନା ।

ଶ୍ରୀମଣ୍ଡା ଖଇରଚୁର ଶ୍ରୀକର୍ପୂରକେଳି,

ସନ୍ଦେଶ ଲାଲମୋହନ କୋରା ସରପୁଳି ।

ମୋହନଭୋଗ ମିଠାଇ ସୁମଧୁର ଗଜା,

ସୁପକ୍ୱ ରସାଳ ରମ୍ଭା ଯାର ନିତି ପୂଜା ।

ସେ ରସନା ପକ୍ଷେ ଆଜି ସବୁ ତିକ୍ତକର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେଉଁ ଦନ୍ତ କରୁଥିଲା ପ୍ରସ୍ତର ଚର୍ବଣ,

କଠିନ ନୁହଇ ତାକୁ ଶ୍ରୀଫଳ ଭକ୍ଷଣ ।

ନାନାରୂପ ଫଳ ମୂଳ ଚୂନା କରୁଥିଲା,

ଆହା ସୁନା ଦନ୍ତ କିପାଁ ବିମନା ହୋଇଲା ।

ସେ ଦନ୍ତେ ଚର୍ବଣ ଆଜି ବଡ଼ କଷ୍ଟକର,

କି କରି ନ ପାରେ ଏହି ରୋଗ ଦୁରାଚାର ।

ଯେ ଉଦରେ ଗୁରୁପାକ ଦ୍ରବ୍ୟ ପରିପାକ,

ମାଂସ ମିଷ୍ଟାନ୍ନ ଯେ ଆଦି ନାନାରୂପ ଶାକ ।

ଯେ ଉଦର ଖାଦ୍ୟଦ୍ରବ୍ୟ ଗଣନା ନ କରେ,

ଆଜି ମହାରଣ ପୁଣି ତାହାର ମଧ୍ୟରେ ।

ଘୁଘୁ ଶବ୍ଦେ ଉଦର ଯେ ଚମକି ପଡ଼ୁଛି,

କି କାର୍ଯ୍ୟକୌଶଳ ତହିଁ ଭିତରେ ହେଉଛି ।

କେତେ କଷ୍ଟ ହେଉଅଛି ଘେନି ଏ ଉଦର,

କି କରି ନ ପାରେ ଏହି ରୋଗ ଦୁରାଚାର ।୯।

Image

 

ଇଂଲଣ୍ଡ

 

ଧନ୍ୟ ହେ ଇଂଲଣ୍ଡ ତୁମ୍ଭେ ଧନ୍ୟ ରାଜ୍ୟେଶ୍ୱର,

ଅପାର ଅଟଇ ଗୁଣ କୀର୍ତ୍ତି ଯେ ତୁମ୍ଭର ।

ସାଗରର ବକ୍ଷଃସ୍ଥଳେ ହୁଅ ଭାସମାନ,

ତବ ତୁଲ୍ୟ ମେଦିନୀରେ ନାହିଁ ଅନ୍ୟ ସ୍ଥାନ ।

କି ଥିଲ କି ହେଲ ଆସି କରି ପୁଣି ଏବେ,

ଆଶ୍ଚର୍ଯ୍ୟ ହୁଅଇ ମୁହିଁ ମନେ ଭାବେ ଯେବେ ।

ବୃକ୍ଷର ବକଳ ପିନ୍ଧି ତବ ପୁତ୍ରଗଣ,

ଅରଣ୍ୟରେ କରୁଥିଲେ ସମୟ ଯାପନ ।

ଅପକ୍ୱ ମାଂସ ଯେ ପୁଣି କରନ୍ତି ଭକ୍ଷଣ,

ଶରୀରରେ ରଙ୍ଗମାଟି ହୁଅନ୍ତି ଲେପନ ।

ଯେତେବେଳେ ମହାବୀର ରୋମସେନାପତି,

ସିଜର ଜୟଆଶାରେ ହେଲେ ତୁମ୍ଭ କତି ।

ଭୟ ଦେବେ ସିଜରକୁ ଭାବିଣ ମନରେ,

ନାନା ଅସମ୍ଭବ କାର୍ଯ୍ୟ କଲେ ଗୋପନରେ ।

ନାନାଦି ବର୍ଣ୍ଣରେ ସବୁ ହୋଇଲେ ଚିତ୍ରିତ,

ଶେଷରେ ସିଜରହସ୍ତେ ହେଲେ ପରାଜିତ ।

ଦେଖ ସେହି ସ୍ଥାନବାସୀ ଜଗତମଧ୍ୟରେ,

ଶ୍ରେଷ୍ଠତର ହୋଇଛନ୍ତି ସମସ୍ତ ଗୁଣରେ ।

କେତେ ସେ ଜାଣନ୍ତି ଏବେ ଯୁଦ୍ଧର କୌଶଳ,

ବାଣିଜ୍ୟରେ ପୃଥିବୀରେ ଆଦର୍ଶର ସ୍ଥଳ ।

ଆଶ୍ଚର୍ଯ୍ୟ ଧୂମଶକଟ ପୁଣି ଜଳଯାନ,

କରି ସ୍ୱଚ୍ଛନ୍ଦରେ ସଦା କରନ୍ତି ଗମନ ।

କେତେ ନବ ନବ କଳ କରି ଆବିଷ୍କାର,

କରନ୍ତି ଜଗତଜନଙ୍କର ଉପକାର ।

ପୁରାଣରେ ଶୁଣିଥାଇ ଦେବାସୁରମାନେ,

ରଥ ଆରୋହଣ କରି ବୁଲନ୍ତି ଗଗନେ,

ଏବେ ଶୁଣି ଇଂଲଣ୍ଡରେ ଚଢ଼ି ବ୍ୟୋମଯାନ,

ଚନ୍ଦ୍ର ସୂର୍ଯ୍ୟ ଗ୍ରହଗଣ କରନ୍ତି ପ୍ରମାଣ ।

Image

 

ଚାଟୁକାରୀ ପ୍ରତି

 

ଚିର ଉପାର୍ଜ୍ଜିତ ମାନ ହରାଇ,

କିପାଁ ଚାଟୁ କଥା କହିଲୁ ଯାଇ,

କହିଲୁ ଯାଆଗେ ସେତ ଅତିରାଗେ

ସ୍ୱାର୍ଥପର ହୋଇ ଦେଲା ଫେରାଇ,

ମୁଖ ନ ଫିଟାଅ ଏଣିକି କାହିଁ,

ବିନୟେ କହୁଛି ତୋତେ ବତାଇ ।୧।

ଅନ୍ନ ନ ମିଳିବ ନାହିଁ ଶୋଚନା,

ପ୍ରାଣଗଲେ ଯିବ ନାହିଁ ଭାବନା,

ଅନ୍ୟେ ଚାଟୁ କଥା କହିବାର ପ୍ରଥା

ମୁଁ ମଣେ ତାହାକୁ ବଡ଼ ବେଦନା,

ମିଳୁରେ ପଛକେ ହୀରକ ସୁନା,

ସେ ଅଟେ ମରଣୁଁ ଅଧିକ ସିନା ।୨।

ସ୍ୱାଧୀନତାଧନ ଜଗିଣ ଥିବି,

କାହାକୁ କିଞ୍ଚିତେ ମୁଁ ନ ମାଗିବି,

ମୋ ପର୍ଣ୍ଣକୁଟୀରେ ଆନନ୍ଦଭାବରେ

ଯାହା ଅଛି ତାହା ଖାଇ ବଞ୍ଚିବି,

ତୁଚ୍ଛ ରାଜପଦ ମୁଁ ନ ଲୋଡ଼ିବି,

ନିତ୍ୟ ନିଧି ନାମ ନିତି ଭଜିବି ।୩।

ମୁନିମାନଙ୍କର କଷ୍ଟସାଧନ,

ଜାଣନ୍ତି କି କେବେ ପାପିଷ୍ଠ ଜନ,

ସ୍ୱାଧୀନ ଜୀବନ କେଡ଼େ ମୂଲ୍ୟବାନ

ଜାଣିବେ କି ତାହା ଚିରଅଧୀନ,

ସଦା କଳୁଷିତ ତାହାଙ୍କ ମନ,

ସ୍ୱାଧୀନସଙ୍ଗରେ ନୁହେ ସମାନ ।୪।

Image

 

ଭାରତ ଉତ୍ସବ

(ଭାରତେଶ୍ୱରୀ ପଦୋପଲକ୍ଷେ ଲିଖିତ ।)

ପ୍ରଥମ ସ୍ତୋକ

 

ସୁଖ ଦିବାକର ଉଦୟ ଏଥର

ଭାରତସନ୍ତତି ଶୁଣ ସକଳେ ।

ମହାମହୋଦୟା ରାଣୀ ଭିକ୍ଟୋରିୟା

‘‘ଭାରତ-ଈଶ୍ୱରୀ’’ ହେବେ ଚଞ୍ଚଳେ ।

ଯାହାଙ୍କ ତେଜରେ ମର୍ତ୍ତ୍ୟମଣ୍ଡଳରେ

ବଚସ୍କର କେତେ ରାଜେନ୍ଦ୍ରଗଣ ।

ଯାର ଅଧିକାର ମଧ୍ୟେ ଦିନକର

ଡରି ଅସ୍ତ ନୁହେ ଦିଏ କିରଣ ।

ଯାହାଙ୍କ ଆଦେଶେ ସାଗର ପ୍ରଦେଶେ

ଅସଂଖ୍ୟ ଜାହାଜ ମନ୍ଥର ଜଳ ।

ଯାହାଙ୍କ ସେନାନୀ ଶୌର୍ଯ୍ୟ ବୀର୍ଯ୍ୟେ ମାନୀ

ଯୁଦ୍ଧେ ଚୂର୍ଣ୍ଣ କରି ବିପକ୍ଷବଳ ।

ପଲାଶୀ ସମର ମନେ ଚିନ୍ତାକର

ସିପାହୀବିଦ୍ରୋହେ କିପରି ଜୟ

ଅତ୍ୟନ୍ତ ନିବିଡଭର୍ତ୍ତପୁରଗଡ଼

ଏବେ ଛିନ୍ନଭିନ୍ନ ପଡ଼ିୟା ପ୍ରାୟ ।

ଯାହାଙ୍କ ରାଜ୍ୟରେ ସବୁ ସମୟରେ

ଲକ୍ଷ୍ମୀ, ସରସ୍ୱତୀ ପରିଚାରିଣୀ ।

ପୃଥିବୀ ମଧ୍ୟରେ ବିଦ୍ୟା ବାଣିଜ୍ୟରେ

ପ୍ରଥମଶ୍ରେଣୀରେ ଇଙ୍ଗଣ୍ଡଗଣି ।

କେତେ ଗୁଣୀଜନ ଚଢ଼ି ବ୍ୟୋମଯାନ

ଆକାଶମାର୍ଗରେ ବୁଲି ବୁଲନ୍ତି ।

ଚନ୍ଦ୍ର, ଦିନକର ଗ୍ରହଗଣଙ୍କର

ଦୂରାଦୂର ମାପ ସ୍ଥିର କରନ୍ତି ।

ପୃଥିବୀଗର୍ଭରେ ପଶି ସାହାସରେ

ସ୍ତରାବଳି କେହି ନିର୍ଣ୍ଣୟ କରେ ।

ଯହିଁ ଅତ୍ୟାଚାର ନୁହଇ ଅପାର

ସମ୍ୱାଦପତ୍ରର ମୁଖବଳରେ ।

ବିଜ୍ଞାନବଳରେ ଏକ ନିମିଷରେ

ପୃଥିବୀସମ୍ୱାଦ ହସ୍ତେ ପଡ଼ଇ ।

ବାଷ୍ପୀୟଶକଟେ ଉଡ଼ୁଛନ୍ତି ବାଟେ

ଏକମାସପଥେ ଦିନେ ଲାଗଇ ।

 

ଦ୍ୱିତୀୟ ସ୍ତୋକ

 

ଯେ ଦେଶ ଉତ୍ତରେ ପ୍ରାଚୀରରୂପରେ

ହିମଗିରିବର ଦଣ୍ଡାୟମାନ ।

ମଧ୍ୟରେ ସୁନ୍ଦର ବିନ୍ଧ୍ୟ ମହୀଧର

ଗଗନ ଭେଦିଣ ବିରାଜମାନ ।

ପରିଖା ସାଗର ତିନିପାଶେ ଯାର

ଗର୍ଜେ ଭୀମନାଦେ ଦିବା ରଜନୀ ।

ଦୈର୍ଘ୍ୟେ ଅଷ୍ଟଶତ ପ୍ରସ୍ଥେ ଷଷ୍ଠଶତ

କ୍ରୋଶେ ପରିମିତ ଯାହାକୁ ମଣି ।

ଯହିଁ ବେଗବତୀ କେତେ ସ୍ରୋତସ୍ୱତୀ

କରି ବକ୍ରଗତି ‘‘ତରଣୀ’’ ଭରି ।

ପତିଦରଶନେ ତୃଷାନିବାରଣେ

ବହୁଛନ୍ତି ସଦା ସୁସ୍ୱାଦୁ ବାରି ।

ମାଣିକ୍ୟ ମୁକୁତା ସୁବର୍ଣ୍ଣ ପ୍ରସୂତା

ଯାହାର ଗର୍ଭରେ ହୀରକଖଣି ।

ମୃତ୍ତିକା ଉର୍ବରା ଅଟେ ପରମ୍ପରା

ବନପଦେଶ୍ୱର ଯାହାକୁ ଗଣି ।

ମହାମହାବଳୀ କି ପ୍ରତାପଶାଳୀ

ରାଜେଶ୍ୱର ରାମ, ଭୀମ, ଅର୍ଜୁନ ।

ଧାର୍ମିକଶେଖର ରାଜା ଯୁଧିଷ୍ଠିର

କର୍ଣ୍ଣଦାତା ଜନ୍ମ ଯହିଁରେ ପୁଣ ।

ଭାରତରତନ କବିଙ୍କ ମଣ୍ଡନ

କବି କାଳିଦାସ ଶ୍ରୀଭବଭୂତି ।

ଜୟଦେବ ବ୍ୟାସ ବାଲ୍ମୀକି ଶ୍ରୀହର୍ଷ

ଯାହାଙ୍କ କବିତା ହିନ୍ଦୁସମ୍ପତ୍ତି ।

ଏହି ସେ ଭାରତେ ଆଣି କରଗତେ

ଆଜି ‘‘ଅଧୀଶ୍ୱରୀ’’ ବ୍ରିଟନରାଣୀ ।

ପ୍ରକାଶି ଆନନ୍ଦ ହୁଅ ଗଦଗଦ ।

ଉଚ୍ଚାରିଣ ସର୍ବେ ମଙ୍ଗଳବାଣୀ ।

ଏ କାର୍ଯ୍ୟ ସାମାନ୍ୟ ନ କର ଭାବନ

ରାଜା ପ୍ରଜା ଧନୀ ଭାରତ ନର ।

ଆବଳ ସମସ୍ତ ମିଳି ଏକତ୍ରିତ

ଶୀଘ୍ର ଆୟୋଜନ ସକଳ କର ।

ଯେତେ ଗବର୍ଣ୍ଣର ହେ କମିଶନର

ଜଜ କିଲଟର ସକଳେ ମିଳ ।

ଅକାତରେ ଧନ କର ବିତରଣ

ଏହି ରାଜଭକ୍ତି ପ୍ରକାଶ ସ୍ଥଳ ।

କୋଞ୍ଚୀ କୋଲାପୁର କୋଟା, ତ୍ରିବାଙ୍କୁର

ବହାବଳପୁର କର୍ପୂର ତଳା ।

ସିନ୍ଧୁ ଯୋଦ୍ଧପୁର ବୁନ୍ଦି ବିକାନୁର

ହୁଲ୍କାର, ସର୍ମୁର ଯେ ପତିୟାଲା ।

କାଶ୍ମୀର ଭୂପାଳ କାଶୀ ଗଡ଼ୋୟାଳ

ନିଜାମ ନେପାଳ, ବଙ୍ଗ, ଉତ୍କଳ ।

ଦିଲ୍ଲି ଅଭିମୁଖେ ଆସି ମନସୁଖେ

ସଜାଅ ନଗର ସର୍ବ ଭୂପାଳ ।

Image

 

ତୃତୀୟ ସ୍ତୋକ

ଦିଲ୍ଲିର ଦରବାର

 

ବାଜିଲା ଇଂରାଜୀ ବୀରବାଦନ,

ଶବଦେ କମ୍ପିଲା ତିନି ଭୁବନ,

ସମସ୍ତେ ଚଞ୍ଚଳ ଲାଗେ କୋଳାହଳ,

ଅତ୍ୟନ୍ତ କଠିନ ପଥେ ଗମନ,

ଇଙ୍ଗିତେ ଡାକିଲା ବୀରବାଦନ,

ଦରବାରେ ଆସ ହେ ରାଜଗଣ ।୧।

ଉଠି ଜୟଧ୍ୱଜା ଗଗନରାଜ୍ୟେ,

ପବନହିଲ୍ଲୋଳେ ଦୋହଲେ ବ୍ୟାଜେ,

ଦୂରୁଁ ଦୂର ଦୂର ବୋଲି ଅପସର

ଇଙ୍ଗିତେ କହୁଛି ଶତ୍ରୁସମାଜେ,

ଏଠାରେ ଅଛନ୍ତି ଇଂରାଜରାଜେ,

ଆସିଲେ ବିପଦ ହେବ ସହଜେ ।୨।

ଅବିଶ୍ରାନ୍ତ ତହିଁ ବାଦ୍ୟ ବାଜିଲା,

ଶତ ଶତ ତୋପ ନାଦ ଉଠିଲା,

ହୋଇ ଏକତ୍ରିତ ଅତ୍ୟନ୍ତ ଅଦ୍ଭୁତ

ଶବଦେ ସମସ୍ତ ଦିଗ କମ୍ପିଲା,

ସତେକି ମେଦିନୀବକ୍ଷ ଫାଟିଲା,

ସକଳ ଜୀବଙ୍କୁ ଚିନ୍ତା ଘୋଟିଲା ।୩।

ସ୍ୱର୍ଗରେ ଚକିତ ଦେବତାଗଣ,

ମର୍ତ୍ତ୍ୟପୁରେ ହୁଏ କି ଘୋର ରଣ,

ଭାବିଲେ ଭାବିଲେ       ପଛେ ସ୍ଥିର କଲେ

ଇଂରାଜ ରାଜତ୍ୱେ ଏ ଆୟୋଜନ,

ଭିକ୍ଟୋରିୟା ରାଣୀ ପଦଧାରଣ,

ଏ ସମାରୋହର ମୂଳ କାରଣ ।୪।

ଯମରାଜ ପରି ସୈନ୍ୟସର୍ଦ୍ଦାର,

ଘୋଟକରେ ଚଢ଼ି ହେଲେ ବାହାର,

ବାଜଇ ବାଦନ ଝଣ ଝଣ ଝଣ

ସଜ୍ଜିତ ହୋଇଲେ ସୈନ୍ୟ ନିକର,

ସତେ ମୁଣ୍ଡ କାଟି ନେବେ ଆମ୍ଭର,

ଭାବି କେହି କେହି ଅତି କାତର ।୫।

ଏଣେ ରାଜଗଣ ନିଜଉଚିତ,

ବସନଭୂଷଣେ ହେଲେ ଭୂଷିତ,

ବଜାଇ ବାଦନ ଭାରତ ପ୍ରାଙ୍ଗଣ

କମ୍ପାଇ ସଭାରେ ସେ ଉପସ୍ଥିତ,

କିରଣଜାଲରେ ସଭା ମଣ୍ଡିତ,

ଜୟଶବ୍ଦେ ଦଶଦିଶ ପୂରିତ ।୬।

ରାଜ ପ୍ରତିନିଧି ‘‘ଲର୍ଡଲିଟନ’’,

ଆସି ଉପସ୍ଥିତ ତହିଁ ବହନ,

ବାଜଇ ବାଦନ ତୋପ ଘନ ଘନ

‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା,

‘‘ରାଜରାଜେଶ୍ୱରୀ’’ ‘‘ଭାରତଈଶ୍ୱରୀ,

ଦରବାରେ ସ୍ଥିର ଏହି ବଚନ,

ସମସ୍ତେ ସୁଖରେ କଲେ ଗାୟନ,

ଆନନ୍ଦେ ପୂରିତ ଲୋକବଦନ ।୭।

ଆଜି ଦିଲ୍ଲୀପୁରେ କେଡ଼େ ବାଜଣା,

ଭାରତକ୍ଷେତ୍ରରେ ପଡ଼େ ଘୋଷଣା,

ଯହିଁ ଆକବର ସୁବୋଧ ବାବର

ଜାହାଙ୍ଗୀର ବାଦଶାହୀ ଗଣନା,

ସେହି ବୀରସ୍ଥଳେ ଇଂରାଜବାନା,

ଉଡ଼ଇ ତଡ଼ଇ ବିପକ୍ଷସେନା ।୮।

 

ଆଜି କି ଆନନ୍ଦେ ଭାରତ ଭାସେ,

ସର୍ବ ମୁଖପଦ୍ମ ପୂରିତ ହାସେ,

ରାଜରାଜେଶ୍ୱରୀ ଭାରତଈଶ୍ୱରୀ ।

ଜୟ ଭିକ୍ଟୋରିୟା ବୋଲି ପ୍ରକାଶେ,

ନଗରବାସିଙ୍କ ଗୃହର ପାଶେ,

କେତେ ପୂର୍ଣ୍ଣକୁମ୍ଭ ଚାରୁ ବିକାଶେ ।୯।

ଦ୍ୱାରେ ଦ୍ୱାରେ ଝୁଲେ ତୋରଣାମାଳ,

ବାଜେ ବେଣୁ ବୀଣା ବାଜଣାଜାଳ,

ଗିନି କରତାଳ ମୃଦଙ୍ଗ ମର୍ଦ୍ଦଳ,

ପଖାଉଜ ଭେରୀ ଏକାଳ,

ମଧୁର ସଙ୍ଗୀତ ଧନ୍ୟ ଏ କାଳ,

ତୋଷେ ସବୁ ବୃଦ୍ଧ ଯୁବକ ବାଳ ।୧୦।

ଦେବାଳୟେ ହେଲା ଦେବପୂଜନ,

ବ୍ରାହ୍ମଣେ କରିଲେ ବେଦପଠନ,

ଭାରତେ ଯେତେକ ମଙ୍ଗଳ ସୂଚକ,

ଲକ୍ଷଣ ସକଳ ଦେବୀପ୍ୟମାନ,

ନାଚନ୍ତି ଭାରତ ସନ୍ତତିଗଣ,

‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା’’

‘‘ରାଜରାଜେଶ୍ୱରୀ’’ ଭାରତ ଈଶ୍ୱରୀ,

କରତାଳି ଦେଇ କରି ଗାୟନ ।୧୨।

ଭାରତବାସିନୀ ଏଣୀନୟନା,

ପତିବିଳାସିନୀ ଝୀନବସନା,

ବାମାଏ ମିଳିଲେ ହୁଳହୁଳି ଦେଲେ,

ଘୃତ ଦୀପେ କଲେ ଶ୍ରୀ ବନ୍ଦାପନା,

ସଗର୍ବେ କହିଲେ ପିକବଚନା,

ଶ୍ରୀମତୀ ସୁନ୍ଦରୀ ।

ଭାରତଈଶ୍ୱରୀ ।

ଆମ୍ଭ ନାରୀଜାତି ଅଟନ୍ତି ସିନା ।୧୩।

ରାଜଦଣ୍ଡେ ସବୁ ପଡ଼େ ଚହଳ,

କେତେ ଗଣ୍ଡଗୋଳ କି କୋଳାହଳ,

ପିମ୍ପୁଡ଼ିକି ବାଟ ମିଳିବା ଦୁର୍ଘଟ,

ଗାଡ଼ି ଘୋଡ଼ା ଚାଲେ ଅତି ଚଞ୍ଚଳ,

ଜଗି ରହିଛନ୍ତି ରକ୍ଷକବଳ,

କେବଳ ଆପଦେ ପଡ଼େ ଦୁର୍ବଳ ।୧୩।

ସନ୍ଧ୍ୟା ଆଗମନେ ଦିନର ଶେଷେ,

ଭାରତଭୂମି ଯେ ନୂତନ ବେଶେ,

ସଜ୍ଜିତ ହୋଇଲା କିରଣ ଛାଡ଼ିଲା,

ଆଲୋକେ ପୂରିଲେ ସକଳ ଦିଶେ,

ଆହା ଦୀପଶ୍ରେଣୀ କି ଶୋଭା ଦିଶେ,

ସତେ କି ନକ୍ଷତ୍ରପୁଞ୍ଜ ଆଭାସେ ।୧୪।

ଆକାଶେ ଚିନ୍ତିଲେ ରଜନୀପତି,

କ୍ଷୀଣ ଦେଖି କରି ଆପଣା ଜ୍ୟୋତି,

ଏ ଅତି ବିଚିତ୍ର ଭାରତ-ଭୂଚିତ୍ର,

ମଣ୍ଡିତ ହୋଇଛି ତାରାପଙ୍କତି,

ହରିଲା ଚୋର କି ମୋର ସମ୍ପତ୍ତି,

ଧିକ ଧିକ ଆଜି ମୋ ରୂପ କାନ୍ତି ।୧୫।

ସଙ୍ଗୀତ ଗାଇଲେ ପକ୍ଷୀନିଚୟ,

ଦଶ ଦିଗ ଦେଖି ଆଲୋକମୟ,

ବ୍ରିଟିଶ ଶାସନ ନିୟମ ଅଧୀନ,

ଭାରତର ପକ୍ଷୀକୁଳ ନିଶ୍ଚୟ,

ରାଜଭକ୍ତି ହୋଇଅଛି ଉଦୟ,

ତେଣୁ ସାମାଜିକ ଏ ତାନ ଲୟ ।୧୬।

‘‘ଭାରତଈଶ୍ୱର ବ୍ରିଟନ ରାଣୀ,

ସୁଖେ ଥାଅ ମାତଃ ମଙ୍ଗଳବାଣୀ,

ସିନ୍ଧୁ ହିମ ଗିରି କୁମାରିକା ଧରି,

ଆନନ୍ଦେ ଗାଇଲେ ସକଳ ପ୍ରାଣୀ,

ପୁତ୍ର ବଧୂ ଘେନି ଶ୍ରୀମତୀ ରାଣୀ,

ରହନ୍ତୁ ହୋଇଣ ଦୀର୍ଘଜୀବିନୀ ।୧୭।

ପ୍ରତିଧ୍ୱନି ଛଳେ ଗାଏ ସାଗର,

ସୁରମ୍ୟ, ଗମ୍ଭୀର, ଗିରିକନ୍ଦର,

ହ୍ରଦ ନଦୀ ସର ନିର୍ଝର ନିକର,

ସଲିଳପ୍ରପାତ, କୂପ, ଆକର,

ଏ ଶବ୍ଦ ଉଠିଲା ପୁଣି ଅମ୍ୱର,

ଗାଇଲେ ଅପ୍ସରା ସୁର କିନ୍ନର ।୧୮।

ଇତିବୃତ୍ତବେତ୍ତା ରହସ୍ୟ ଭରେ,

ଲେଖିବେ ସମୟ ଇତିହାସରେ,

ଧନ୍ୟ ସତସ୍ତରି ସାଲ ଜାନୁଆରି,

ପ୍ରଥମ ଦିବସ ସୋମବାରରେ,

ଧନ୍ୟ ତିଥି କ୍ଷଣ ରାଶି ଯୋଗରେ,

ଘେନିଲ ମୁକୁଟ ମସ୍ତକୋପରେ ।୧୯।

ପତିତପାବନ ହେ ଦୀନ ଧନ,

ତବ ପଦେ ଆଜି ଏ ନିବେଦନ,

ଶ୍ୱେତକୃଷ୍ଣ ବର୍ଣ୍ଣେ ସମ ଦୃଷ୍ଟି ଜ୍ଞାନେ,

କରିବେ ଶ୍ରୀମତୀ ରାଜ୍ୟଶାସନ,

ଏକଥା ଅନ୍ୟଥା ନୋହୁ ଘଟନ,

‘‘ଜୟ ଭିକ୍ଟୋରିୟା’’ ‘‘ଜୟ ଭିକ୍ଟୋରିୟା’’

‘‘ରାଜରାଜେଶ୍ୱରୀ’’ ‘‘ଭାରତଈଶ୍ୱରୀ’’

କାଳେ କାଳେ ରହୁ ଏହି ବଚନ ।୨୦।

Image

 

ଚାତକ

 

ଚାତକ ବୋଲଇ ହେ ଜଳଧର,

ପବନେ କମ୍ପାଅ ମୋ କଳେବର ।

ଭୟଙ୍କର ନାଦେ ଭୟ ଦେଖାଅ,

କରକାଘାତରେ ଚୂର୍ଣ୍ଣ କରାଅ ।

ସହଜେ ତୁମ୍ଭଙ୍କୁ ଛାଡ଼ି ନ ଯିବି,

ମରିବା ପର୍ଯ୍ୟନ୍ତ ପଡ଼ି ରହିବି ।

ନାହିଁ ଗତି ମୋର କାହିଁ ହେ ଆନ,

ତୁମ୍ଭ ବାରିବିନ୍ଦୁ ମୋର ଜୀବନ ।

କେତେ କାଳୁଁ ଊର୍ଦ୍ଧ୍ୱମୁଖେ ଗଗନ,

ଚାହିଁ ରହିଅଛି ହେ ନୀଳଘନ ।

ଦେଖିଲି ସ୍ୱରୂପ ଆଜି ତୋହର,

ଆଶା ବଳବତୀ ତେଣୁ ମୋହର ।

ତୁମ୍ଭର ସୁଦୟା ଯେବେ ନୋହିବ,

ତେବେ ଏ ଗରିବ କାହୁଁ ବଞ୍ଚିବ ।

ତୁମ୍ଭେ ବଡ଼ ଲୋକ ଅଟ ଜଳଦ,

ଚାତକର ହେଉଅଛ ଦୁଃଖଦ ।

କଳଙ୍କ ହେଉଛି ତୁମ୍ଭ ନାମରେ,

ନିର୍ଦ୍ଦୟ ନିଷ୍ଠୁର ବୋଲି ଲୋକରେ ।

ଆହେ ନବ ଘନ ଜଳ ଆଧାର,

ପୂର୍ଣ୍ଣ କରୁଅଛି ନଦୀ ସାଗର ।

ମୋ ଚଞ୍ଚୁପୁଟରେ ରହିବ କେତେ,

ଏଥିପାଇଁ ତୁମ୍ଭେ ନିର୍ଦ୍ଦୟ ଏତେ ।

ଘେନି ମୋ ବିନତି ହେ ନୀଳଘନ,

ଜୀବନ ଦେଇ ମୋ ରଖ ଜୀବନ ।

Image

 

ଅଜବିଳାପ

 

ଦିନେ କୋଶଳନୃପତି ମହାରାଜ ଅଜ ।

ଉଦ୍ୟାନ ଭ୍ରମଣଅର୍ଥେ ହୋଇଲେକ ସଜ ।

ସ୍ୱପ୍ରିୟା ଇନ୍ଦୁମତୀଙ୍କି ସଙ୍ଗରେ ଘେନିଲେ ।

ନଗରଉପବନରେ ପ୍ରବେଶ ହୋଇଲେ ।

ଶଚୀସଙ୍ଗେ ଶଚୀପତି ଦିଶନ୍ତି ଯେସନ ।

ଯୁବକ ଯୁବତୀ ଦୁହେଁ ଦିଶିଲେ ତେସନ ।

ଦେବର୍ଷି ନାରଦମୁନି ହାତେ ବୀଣା ଧରି ।

ଆକାଶମାର୍ଗରେ ଯାଉଥିଲେ ଅନୁସରି ।

ତାହାଙ୍କ ବୀଣାରୁ ପୁଷ୍ପମାଳା ବାୟୁଭରେ ।

ଛିଡ଼ିଣ ପଡ଼ିଲା ଇନ୍ଦୁମତୀଙ୍କ ଉପରେ ।

ଇନ୍ଦୁମତୀ ସେହି ମାଳା କରନ୍ତେ ଲୋକନ ।

ତୁରିତେ ଭୂତଳେ ପଡ଼ି ହେଲେ ବିଚେତନ ।

ପ୍ରଦୀପ୍ତ ଦୀପଶିଖାରୁ ତଇଳ ବିନ୍ଦୁଏ ।

ପଡ଼ିଲେ ଯେସନ ଶିଖା ଅଂଶ ରସା ଛୁଏଁ ।

ସେହିପରି ନରପତି ମୂର୍ଚ୍ଛିତ ହୋଇଲେ ।

ଇନ୍ଦୁମତୀଙ୍କ ସଙ୍ଗତେ ଭୂତଳେ ପଡ଼ିଲେ ।

ରାଜା ରାଣୀଙ୍କର ଦଶା ଦେଖି ପାର୍ଶ୍ୱଚରେ ।

ହାହାକାର ଶବ୍ଦ କଲେ ସର୍ବେ ଉଚ୍ଚଭରେ ।

ସେମାନଙ୍କ ଆର୍ତ୍ତଧ୍ୱନି କରନ୍ତେ ଶ୍ରବଣ ।

ରାବିଲେ ଆକୁଳେ ଉପବନପକ୍ଷିଗଣ ।

ଅନୁଚରମାନେ ତହିଁ କରନ୍ତେ ବ୍ୟଜନ ।

କିଛିକ୍ଷଣ ପରେ ଚେତି ଉଠିଲେ ରାଜନ ।

ଇନ୍ଦୁମତୀଙ୍କର ଆଉ ନୋହିଲା ଚେତନ ।

ଆୟୁଷ ନ ଥିଲେ ପ୍ରତିକାରେ କି କାରଣ ।

ବୀଣା ପରି ସେହି ମୃତ ଦେହ କୋଳେ ଧରି ।

କାନ୍ଦିଲେ ନୃପତି ଇନ୍ଦୁମତୀଗୁଣ ସ୍ମରି ।

ବିବର୍ଣ୍ଣ ଇନ୍ଦୁମତୀଙ୍କି କରନ୍ତେ ଧାରଣ ।

ସକଳଙ୍କ ଶଶୀ ପରି ଦିଶିଲେ ରାଜନ ।

ସ୍ୱାଭାବିକ ପ୍ରକୃତିକି ଛାଡ଼ିଲେ ନୃପତି ।

ଉନ୍ନତ୍ତ ପରାଏ ହୋଇ ବିଳପିଲେ ଅତି ।

ଅଜ ଗମ୍ଭୀର ପ୍ରକୃତି ତଥାପି ତାଙ୍କର ।

ଏହି ଘଟଣା ହୋଇଲା ପୁଣି ଧୈର୍ଯ୍ୟହର ।

ମନୁଷ୍ୟର କଥା କିବା କୁହାଯାଏ ନାହିଁ

ଅତିଶୟ ତପ୍ତ ହେଲେ ଲୌହ ଯାଏ ବହି ।

ସେହି ପୁଷ୍ପମାଳା ପ୍ରତି କରି ନେତ୍ରପାତ ।

କହିଲେ କରୁଣସ୍ୱରେ ନୃପତି ଏମନ୍ତ ।

ଆହା ଏ କୁସୁମମାଳା ଗାତ୍ର ସ୍ପର୍ଶ କରି ।

ଯେବେ ଜୀବନସଙ୍ଗିର ନେଲା ପ୍ରାଣହରି ।

ତେବେ ଜୀବନବିନାଶୀ ସୃଷ୍ଟି କରତାର ।

କେଉଁ ଦ୍ରବ୍ୟ ନ କରଇ ପ୍ରାଣ ଅପକାର ।

ସଂହାରକ କୃତାନ୍ତ ବା ଏମନ୍ତ କରନ୍ତି ।

କୋମଳ ଦ୍ରବ୍ୟେ କୋମଳ ଦ୍ରବ୍ୟକୁ ନାଶନ୍ତି ।

ସାକ୍ଷାତରେ ନିଦର୍ଶନ କଲେ ଦୃଷ୍ଟିପାତ ।

ହିମପାତେ କମଳିନୀ ହୁଅଇ ନିପାତ ।

ଯେବେ ପୁଷ୍ପମାଳା ହେଲା ପ୍ରାଣର ନାଶକ ।

ଆମ୍ଭ ଜୀବନର କିପାଁ ନହେ ସଂହାରକ ।

ବିଧାତା ଇଚ୍ଛାରେ ବିଷ ଅମୃତ ହୁଅଇ ।

କେଉଁଠାରେ ଅମୃତ ବା ବିଷରେ ଫଳଇ ।

କେଜାଣି ଅଦୃଷ୍ଟ ଦୋଷ ଏ ଏକା ମୋହର ।

ବିଧାତା କରିଛି ମାଳା ବଜ୍ରର ଆକାର ।

ଏହିରୂପେ ମହାରାଜ ଅନେକ ତର୍କିଲେ ।

ଶୋକାତୁର ହୋଇ ଦୀର୍ଘ ନିଶ୍ୱାସ ଛାଡ଼ିଲେ ।

ବାଷ୍ପାକୁଳନୟନରେ ଗଦ୍ଗଦବଚନେ ।

କହିଲେ ହା ମୃଗନେତ୍ରି ମଧୁରବଚନେ ।

ତୁମ୍ଭଙ୍କୁ ନ ଦେଖି ପ୍ରିୟେ ଶୂନ୍ୟ ଦିଶମାନ ।

ବିଦୀର୍ଣ୍ଣ ହେଉଛି ହୃଦ କରନ୍ତେ ସ୍ମରଣ ।

ଉଠ ଉଠ ପ୍ରିୟେ ପ୍ରୀତିସମ୍ଭାଷଣ କର ।

ପ୍ରାଣରକ୍ଷା ହେଉ ଥରେ ପ୍ରଣୟୀଜନର ।

କେତେ କରିଅଛୁଁ ତୁମ୍ଭ ପାଶେ ଅପରାଧ ।

ସେଥିପାଇଁ ଦିନେ ତୁମ୍ଭେ ସାଧି ନାହଁ ବାଦ ।

କି ଅପରାଧରେ ଆଜି ନିର୍ଦ୍ଦୟ ହେଉଛ ।

ଆମ୍ଭ ସଙ୍ଗତେ କାହିଁ କି କଥା ନ କହୁଛ ।

ଆମ୍ଭଙ୍କୁ କପଟୀ ବୋଲି କରିଅଛ ବୋଧ ।

ତେଣୁ ଘଟାଇଲ ଏକା ଏପରି ନିରୋଧ ।

ନୋହିଲେ କି ପ୍ରିୟ ସଙ୍ଗି ନ କହି ବଚନ ।

ପରଲୋକକୁ କି ତୁମ୍ଭେ କରନ୍ତ ଗମନ ।

ରେ ପ୍ରାଣ ପେୟସୀସଙ୍ଗେ ମୂର୍ଚ୍ଛା ଯାଇଥିଲୁ ।

ତାହାକୁ ନ ଆଣି କିପାଁ ଏକାକୀ ଅଇଲୁ ।

ନିଜଦୋଷରେ ଜୀବନ ଦଗ୍ଧ ହେଲୁ ଆସି ।

ପତ୍ନୀବିୟୋଗବେଦନା ସହିବୁ ତୁ ବସି ।

ଆହା ପ୍ରିୟେ ବିହରନ୍ତେ ଏହି ଉଦ୍ୟାନରେ ।

ଘର୍ମବିନ୍ଦୁ ବିରାଜିଛି ଏ ମୁଖପଦ୍ମରେ ।

ତୁମ୍ଭେ ପରିତ୍ୟାଗ କରି ଚାଲିଗଲ କାହିଁ ।

ଧିକ ଧିକ ମନୁଷ୍ୟର ସାରବତ୍ତା ନାହିଁ ।

ତୁମ୍ଭର ଅପ୍ରିୟ କାର୍ଯ୍ୟ କେବେ ଗୋ ପ୍ରେୟସି ।

କରି ନାହିଁ କିପାଁ ଛାଡ଼ି ଗଲ ମଦାଳସି ।

ନାମରେ ମୁଁ କ୍ଷତିପତି ଅଟଇ ଗୋ ଧନି ।

କେବଳ ତୁମ୍ଭର ପତି ଅଛି ମନେ ମାନି ।

ଅତିକଷ୍ଟରେ ପବିତ୍ର ପ୍ରଣୟ ମୋହର ।

ବଦ୍ଧମୂଳ ହୋଇଅଛି ସ୍ନେହ ଶ୍ରେଷ୍ଠତର ।

କୁସୁମମଣ୍ଡିତ ତୁମ୍ଭ ଏ ଅଳକାବଳୀ ।

ବାୟୁବେଗରେ କେମନ୍ତ ହେଉଛି ସଞ୍ଚାଳି ।

ତା ଦେଖି ମନରେ ବୋଧ ହୁଏ ଗୋ ଏପରି ।

ଅଇଲ କି ସଙ୍ଗି ମୋର ଦୁଃଖ ଦେଖି କରି ।

ପ୍ରାଣେଶ୍ୱରି ଦେଖ ପ୍ରାଣ ଯାଉଛି ମୋହର ।

ଦୟାକରି ଥରେ ଆସି ମୋତେ ରକ୍ଷା କର ।

ରାତ୍ରରେ ଔଷଧି ସବୁ ହୋଇଲେ ପ୍ରକାଶ ।

କନ୍ଦରତିମିର ଯେହ୍ନେ ହୁଅଇ ବିନାଶ ।

ତୁମ୍ଭର ବୋଧବଚନେ ଆଜି ଗୋ ସୁନ୍ଦରି ।

ମୋହ ଅନ୍ଧକାର ମୋର ଦିଅ ଦୂରକରି ।

ନ ଶୁଣି ତୁମ୍ଭର ସେହି ଅମୃତ ବଚନ ।

କଷ୍ଟ ହେଉଅଛି କ୍ଷଣେ ଜୀବନଧାରଣ ।

ଚକ୍ରବାକୀର ସଙ୍ଗତେ ଚକ୍ରବାକଯୋଗ ।

ରଜନୀ କରିବେ ସୁଧାକର ପୁଣି ଭୋଗ ।

ଏହି ଆଶାରେ ସେ ଦୁହେଁ ଯନ୍ତ୍ରଣା ସହନ୍ତି ।

ତୁମ୍ଭଙ୍କୁ ନ ପାଇ ମନ କି ବୋଧିବି ସତି ।

ଅତି ସୁକୁମାର ଏହି ତନୁ ଗୋ ତୁମ୍ଭର ।

ନବପଲ୍ଲବଶଯ୍ୟାକୁ ମଣେ କଷ୍ଟକର ।

କେମନ୍ତେ ସେ ତନୁ ଆଜି କୋମଳବଦନେ ।

ସମର୍ଥ ହୋଇବ ପୁଣି ଚିତାଆରୋହଣେ ।

ଲୋକାନ୍ତର ଯିବ ବୋଲି ମନେ ସ୍ଥିର କରି ।

ଯେତେ ରଖିଅଛ ଆମ୍ଭ ପାଇଁ ଗୋ ସୁନ୍ଦରି ।

କୋକିଳାଠାରେ ଯେ ଅଛି ମଧୁରଭାଷଣ ।

କଳହଂସୀଠାରେ ଯେଉଁ ମନ୍ଥରଗମନ ।

ହରିଣୀ କରେ ଯେ ଲୋଳଦୃଷ୍ଟିକି ପ୍ରକାଶ ।

ବାତାହତଲତାରେ ଯେ ଅଙ୍ଗର ବିଳାସ ।

ତୁମ୍ଭ ଅଭାବେ ଯେ ଗୁରୁ ବ୍ୟଥା ମୁଁ ପ୍ରାପତ ।

ଏମାନେ ନୁହନ୍ତି ତାହା ହରଣେ ସମର୍ଥ ।

କହିଥିଲ ଦିନେ ପ୍ରିୟେ ପ୍ରିୟଙ୍ଗୁଲତାକୁ ।

ସହକାରତରୁ ସଙ୍ଗେ ବିବାହ ଦେବାକୁ ।

ସେହି କାର୍ଯ୍ୟ ସମାପନ ନ କରି ଗୋ ମିତ ।

ଲୋକାନ୍ତର ଯିବା ତବ ନୁହଇ ଉଚିତ ।

ଯତ୍ନରେ ପାଳିତ ଏହି ଅଶୋକ ପାଦପ ।

ପ୍ରସବିବ ପ୍ରିୟେ ସଦା କୁସୁମ ଅମାପ ।

ସେ ପୁଷ୍ପେ ନ କରି ତବ ଅଳକାମଣ୍ଡନ ।

କେମନ୍ତେ କରିବି ପ୍ରେତକୃତ୍ୟେ ସମର୍ପଣ ।

ତୁମ୍ଭର ଚରଣାଗ୍ରକୁ କରିଣ ସ୍ମରଣ ।

କୁସୁମ ଛଳେ ଅଶୋକ କରଇ କ୍ରନ୍ଦନ ।

ହେ ପ୍ରିୟେ କିନ୍ନରକଣ୍ଠି ଶୁଣ ଗୋ ସୁନ୍ଦରି ।

ସୁଗନ୍ଧ ବକୁଳପୁଷ୍ପମାନଙ୍କୁ ଆହରି ।

ରଚୁଥିଲ ମୋହ ସଙ୍ଗେ ବିଳାସ ମେଖଳା ।

ଅର୍ଦ୍ଧେକ ରଚନା କରି ହୋଇଲ ଚଞ୍ଚଳା ।

ଦେଖ ପ୍ରିୟେ ତୁମ୍ଭର ଏ ସହଚରୀଗଣ ।

ତୁମ୍ଭ ସୁଖ ଦୁଃଖ ଯେହୁ କରନ୍ତି ଗ୍ରହଣ ।

ପ୍ରତିପଚ୍ଚନ୍ଦ୍ରର ତୁଲ୍ୟ ଦେଖ ଏ ନନ୍ଦନେ ।

ଲଘୁ କରି ନାହିଁ ଅନୁରାଗ ମୁହିଁ କ୍ଷଣେ ।

କେଉଁ ଦୁଃଖରେ ଆମ୍ଭଙ୍କୁ କଲ ବିସର୍ଜନ ।

ଅସ୍ଥିର ହେଉଛି ମନ ନ ପାଇ କାରଣ ।

ତୁମ୍ଭର ମୃତ୍ୟୁଜନିତ ବିଷମ ବିଷାଦ ।

ଜନ୍ମିଛି ହୃଦୟେ କାହିଁ ନାହିଁ କିଛି ସାଧ ।

ଅସ୍ତମିତ ହେଲା ଧୈର୍ଯ୍ୟ ବିରତ କାମନା ।

ଗାୟବେ ଋତୁଉତ୍ସବେ ନାହିଁ ଗୋ ବାସନା ।

ଅଳଙ୍କାରେ ନାହିଁ ଆଉ କିଛି ପ୍ରୟୋଜନ ।

ତବ ଯୋଗେ ଶଯ୍ୟା ମଧ୍ୟ ହେଲା ବିସର୍ଜ୍ଜନ ।

ନିର୍ଦ୍ଦୟ ମୃତ୍ୟୁ ତୁମ୍ଭଙ୍କୁ କରିଣ ସଂହାର ।

ନ ସାଧିଲା ଆମ୍ଭର ସେ କେଉଁ ଅପକାର ।

ତୁମ୍ଭେ ଆମ୍ଭର ଗୃହିଣୀ ମନ୍ତ୍ରୀ ମନ୍ତ୍ରଣାରେ ।

ପ୍ରିୟଶିଷ୍ୟା ଅଟ ପୁଣି ଗାନ ବାଜଣାରେ ।

ତବ ଜୀବନହାରକ କ୍ରୂର ଦଣ୍ଡଧର ।

ବୋଲ ସଖି ନ କଲା କି ହରଣ ମୋହର ।

ତୁମ୍ଭର ବିନାଶେ ମୋର ହେଲା ସର୍ବନାଶ ।

କହିବାକୁ ନିଶ୍ଚେଁ ଏହା ପାଇବା ପ୍ରୟାସ ।

ଅତୁଳ ଐଶ୍ୱର୍ଯ୍ୟ ପ୍ରିୟେ ଥିଲେ ହେଁ ମୋହର ।

ତୁମ୍ଭର ବିହୁନେ ସବୁ ହୋଇଲା ଅନ୍ତର ।

ତବ ବିନା ଆଉ ମୁହିଁ ଆନ ନ ଜାଣଇଁ ।

ମୋ ସୁଖ ବିଭବ ତବ ଆଶ୍ରିତ ଅଟଇ ।

ମନ ବଳୁ ନାହିଁ ଆଉ ଅଶନେ ଶୟନେ ।

ନିରୁତ୍ସାହ ହୋଇଅଛି କାର୍ଯ୍ୟର ସାଧନେ ।

ଏପରି କୋଶଳନୃପ କରନ୍ତେ କ୍ରନ୍ଦନ ।

କଷ୍ଟରେ ଇନ୍ଦୁମତୀଙ୍କି କୋଳୁଁ ବନ୍ଧୁଗଣ ।

ଘେନି ଯାଇ ସେହି ମାଳା କରାଇ ମଣ୍ଡନ ।

ଚନ୍ଦନଚିତାରେ ପୁଣି କଲେ ସମର୍ପଣ ।

Image

 

ଅବୋଧ ମନ ପ୍ରତି

 

କିପାଁଇ ଅବୋଧ ମନ ଏତେ କଷ୍ଟ ସହୁରେ,

ଅନିତ୍ୟ ସଂସାରେ ମାୟାମୋହେ ଦଗ୍ଧ ହେଉରେ ।

ଧନ ଜନ ପଦ ମାନ ପାଇଁ ବ୍ୟସ୍ତ ଥାଉରେ,

ଶତଲାଭେ କେବେ ପୁଣି ସନ୍ତୋଷ ନ ପାଉରେ ।

ପର୍ଣ୍ଣକୁଟୀରରୁ ରମ୍ୟ ପ୍ରାସାଦ ପାଇଲୁରେ,

ଶାକାନ୍ନ ଛାଡ଼ିଣ ଏବେ ଘୃତାନ୍ନ ଭୁଞ୍ଜିଲୁରେ ।

ମୃତ୍ତିକାର ପାତ୍ର ଏଡ଼ି କନକ ବାସନରେ,

ସୁଜୀର୍ଣ୍ଣ ବସନ ଛାଡ଼ି ପଟ୍ଟପରିଧାନରେ ।

ଲଭିଲୁ ଅମୂଲ୍ୟ ଧନ ରତନ କାଞ୍ଚନରେ,

ଦରିଦ୍ରତା ଗଲା ତୋର ସମ୍ପତ୍ତିନିଧାନରେ ।

ତଥାପି ଦୁରାଶାସିନ୍ଧୁ ନ ହେଲା ପୂରଣରେ,

ମାୟାମୋହଜଳେ ପଡ଼ି କରୁ ସନ୍ତରଣରେ ।

ଏଠାରେ ସମ୍ପତ୍ତି ତୁହି କଲୁଣୁ ବହୁତରେ,

ପରକାଳସମ୍ୱଳକୁ କର ଦୃଷ୍ଟିପାତରେ ।

ନୟନେ ଯା ଦେଖୁଅଛୁ ଏସବୁ କୁହୁକରେ,

ବାଜିକର ଖେଳପରି ସକଳ ଅଳୀକରେ ।

ଜଳସ୍ଫୋଟକ ସମାନ ପିଣ୍ଡେ ଏହି ପ୍ରାଣରେ,

ଆଉ କେତେ ଧର୍ମେ ରତ ହୁଅ ଅନୁକ୍ଷଣରେ ।

Image